ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାସ୍ତା କାମ ଚାଲିଥିବା ସତ୍ତ୍ୱେ ବିଭାଗୀୟ ଜେଇ, ଏସ୍ଡିଓ କିମ୍ବା ସରକାରଙ୍କ ନିୟମିତ ସ୍ଥଳ ପରିଦର୍ଶନ ହେଉନଥିବା ନେଇସରପଞ୍ଚ ସିଏଚ୍. ମନୋଜ କୁମାର ରେଡ୍ଡୀ ଓ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଫଳରେ ନିର୍ମାଣ କାମର ଗୁଣବତ୍ତା ଓ ନିର୍ଦ୍ଧାରିତ ମାପଦଣ୍ଡ ପାଳନ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନାନୁଯାୟୀ, ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ୨୦୨୨ ରୁ ଏହି ରାସ୍ତା ନିର୍ମାଣ କାମ ଚାଲିଛି। ଏଥିରେ ଗାର୍ଡଓ୍ବାଲ, ନାଳ, କଙ୍କ୍ରିଟ ରାସ୍ତା ଓ ପିଚୁ ରାସ୍ତା ନିର୍ମାଣ ସମେତ ବିଭିନ୍ନ କାମ ରହିଛି। ତେବେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଏହି ସମସ୍ତ କାମ ଆଜି ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ନ ଥିବା ଅଭିଯୋଗ ହୋଇଛି। ଏପରିକି ନିର୍ମାଣ ହେବାକୁ ଥିବା ଦୁଇଟି କଲଭର୍ଟ ମଧ୍ୟରୁ ଗୋଟିଏର କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନ ଥିବା କୁହାଯାଇଛି।
ଏହି ନିର୍ମାଣ କାର୍ଯ୍ୟ ସରକାରୀ ଅର୍ଥରେ ଚାଲିଥିବାବେଳେ ଉଚ୍ଚସ୍ତରୀୟ ଯାଞ୍ଚ କରାଇବା ଓ ନିର୍ମାଣର ଗୁଣବତ୍ତା ପରୀକ୍ଷା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହା ସହ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀମାନେ ନିୟମିତ ଭାବେ କାର୍ଯ୍ୟ ପରିଦର୍ଶନ କରି ତଦାରଖ କରିବା ଏବଂ ଅସମ୍ପୂର୍ଣ୍ଣ କାମକୁ ତ୍ୱରାନ୍ବିତ କରିବାକୁ ଦାବି ହୋଇଛି।