ଗ୍ରାମ ସମସ୍ୟା ନେଇ ଏକାଠି ହେଲେ ଗ୍ରାମବାସୀ

ପଟ୍ଟାଙ୍ଗି,୫ା୧୧(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଲେଗଡା ପଞ୍ଚାୟତର ମାଡାୱାଲସା ଗ୍ରାମବାସୀ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ଏକାଠି ହୋଇଛନ୍ତି। ଉକ୍ତ ଗ୍ରାମରେ ୨୨ ପରିବାର ବସବାସ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେହିପରି କିଛି ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ନାହିଁ। ଏନେଇ ନେଇ ବିଗତ ଦିନରେ ଗ୍ରାମବାସୀ ବିଧାୟକଠାରୁ ଆରମ୍ଭ କରି ଜିଲ୍ଲାପାଳ, ବ୍ଲକ ପ୍ରଶାସନକୁ ବାରମ୍ବାର ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଫଳରେ ଗତ ୩୧ରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇ ଗ୍ରାମ ସମସ୍ୟା ସମାଧାନ ଦିଗରେ ୧୫ ଦିନ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ୧୬ ତାରିଖରୁ ବ୍ଲକ କାର୍ଯ୍ୟାଳୟ ସମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଗ୍ରାମ ସମସ୍ୟାକୁ ନେଇ ଶୁକ୍ରବାର ମାଡାୱାଲସା ଗ୍ରାମରେ ବଡ଼ ଲମନ୍ତାପାଡୁ, ସାନ ଲମନ୍ତାପାଡୁ, ଟାଙ୍ଗିଣି ଏବଂ ସିତାମପାଡୁ ଆଦି ୫ଟି ଗ୍ରାମର ଗ୍ରାମବାସୀ ଏକାଠି ହୋଇ ଏକ ବୈଠକ କରିଥିଲେ। ସୂଚନାଯୋଗ୍ୟ, ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କିତ ଦାବି ଜିଲାପାଳଙ୍କ ନିକଟରେ ପହଞ୍ଚତ୍ବା ପରେ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଗୁରୁବାର ମାଡାୱାଲସା ଗ୍ରାମରେ ପହଞ୍ଚତ୍ ଲୋକଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡ଼ିଛି। ମାଡାୱାଲସା ଗ୍ରାମଟି ଏକ ପାହାଡ଼ ତଳେ ରହିଛି। ଏହି ଗ୍ରାମକୁ ଜାତୀୟ ରାଜପଥର ଟାଙ୍ଗିଣି ଛକଠାରୁ ଯିବାକୁ ହୋଇଥାଏ। ମାତ୍ର ଗ୍ରାମକୁ ସଂଯୋଗ ରାସ୍ତା ଏବେ ମରଣଜନ୍ତା ପାଲଟିଛି। ଏହି ରାସ୍ତା ଉପରେ ପ୍ରଶାସନର ଦୃଷ୍ଟି ପଡୁନାହିଁ । ପାନୀୟଜଳ ବ୍ୟବସ୍ଥା ମଧ୍ୟ ଗ୍ରାମରେ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ବୈଠକରେ ଆନ୍ଧ୍ର ପାସପେଣ୍ଡା ବ୍ଲକର ମଦୁକୁ ସରପଞ୍ଚ ଗେମେଲ ବାବୁରାଓ ଅତିଥି ଭାବେ ଯୋଗ ଦେଇଥିଲେ। ଦୋରା ସଂଘର ଜିଲା ଆବାହକ ତାଉଡୁ ଦୋରା, ରାଲେଗଡା ସରପଞ୍ଚଙ୍କ ସ୍ବାମୀ ସୋମି ପାମିୟା, ନାଗେଶ ତାମାଲ, ଗୋବିନ୍ଦ ଗେମେଲ, ଏସଏଚଜି ମହିଳା ସଂଘ ସମ୍ପାଦକ ବୁଟୁକି ମୁଣ୍ଡାଗାଡିଆ ପ୍ରମୁଖ ଉପସ୍ଥିତ ଥିଲେ।