କେସିଙ୍ଗା,୩୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମାନ ଗ୍ରାମରେ ଲୋକଙ୍କ ସ୍ବାସ୍ଥ୍ୟ ସୁଦୃଢ଼ କରିବା ପାଇଁ ଲୋକ ସଭା ଏମ୍ପି ସୁଜିତ କୁମାର ଏକ ଖୋଲା ଜିମ୍ କେନ୍ଦ୍ର ନିର୍ମାଣ ପାଇଁ ଆଇଟିଡିଏ ଭବାନୀପାଟଣାକୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଏହି ଜିମ୍ କେନ୍ଦ୍ର ନିର୍ମାଣ ପାଇଁ ଗତ ବୁଧବାର ଗାଡ଼ିରେ ଜିମ୍ କେନ୍ଦ୍ର ଆବଶ୍ୟକ ସାମଗ୍ରୀ ଆଣି ବର୍ଷା ହେବା ସତ୍ତ୍ୱେ ତରବରିଆ ଭାବେ କାଦୁଅରେ ସରଞ୍ଜାମ ସ୍ଥାପନ କରି ଶ୍ରମିକମାନେ ଚାଲିଗଲେ। ଗାଁ ଲୋକଙ୍କ ଅଭିଯୋଗ ପାଇ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁ ଜିମ୍ କେନ୍ଦ୍ରକୁ ଗୁରୁବାର ପରିଦର୍ଶନ କରି ନିର୍ମାଣ କରୁଥିବା ଶ୍ରମିକଙ୍କୁ ଠିକ୍ ଭାବେ କାମ କରିବାକୁ ଦାଗିଦ୍ କରିଥିଲେ। କିନ୍ତୁ ପରିତାପର ବିଷୟ ଲୋକଙ୍କ ସୁବିଧା ଦୃଷ୍ଟିରୁ ଜିମ୍ କେନ୍ଦ୍ର ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ମଞ୍ଜୁର ହେଉଥିଲେ ସୁଦ୍ଧା ଅତି ନିମ୍ନମାନର ମିଥ୍ୟା ବିଲ୍ ଭାଉଚର କରି ଆଇଟିଡିଏର ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ହରିଲୁଟ୍ କରିବାର ଏଥିରୁ ସ୍ପଷ୍ଟ ଦେଖା ଯାଉଛି। ବିନାସୂଚନା ଫଳକରେ ଲକ୍ଷଲକ୍ଷ ଟଙ୍କାର କାମ କେମିତି କରାଯାଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଜିମ୍ ପରିସରରେ କଂକ୍ରିଟ କରି ଜିମ୍ରେ ବ୍ୟବହୃତ ସାମଗ୍ରୀ ବ୍ୟବହାର କରିବା କଥା। କିନ୍ତୁ କାଦୁଅ ଏବଂ ବର୍ଷା ଜଳ ଯେଉଁଥି ଭର୍ତ୍ତି ହୋଇଛି, ସେଠାରେ ଜିମ କେନ୍ଦ୍ର ନିର୍ମାଣକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏ ସଂକ୍ରାନ୍ତରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ଆମ ଡିପାର୍ଟମେଣ୍ଟର କାମ ନୁହେଁ, କାମ କରୁଥିବା ଶ୍ରମିକଙ୍କୁ ଠିକ୍ ଭାବେ କାମ କରିବାକୁ ନିର୍ଦ୍ଦେଶ ଦେଇଛି ବୋଲି ପ୍ରକାଶ କରିଥିଲେ। ଏ ନେଇ ଆଇଟିଡିଏର ଯନ୍ତ୍ରୀଙ୍କୁ ପଚାରିବାରୁ ମୁଁ ତଦନ୍ତ କରିବି ବୋଲି ପ୍ରକାଶ କରିଥିଲେ।