ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା

ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ କରିଛନ୍ତି ଆୟତ୍ତ। ଏଥିପାଇଁ ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଇଛି। ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ପେଚାମୁଣ୍ଡି ପଞ୍ଚାୟତରେ ଘଟିଥିବା ଏପରି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ହରିଜନ ସାହିର ଏହି ପିଲାମାନଙ୍କୁ ଚାରିଆଡ଼ୁ ପ୍ରଶଂସା କରାଯାଇଛି। ସୂଚନା ଅନୁଯାୟୀ, ପାଲଲହଡ଼ା ଉପଖଣ୍ଡ ପେଚାମୁଣ୍ଡି ପଞ୍ଚାୟତ ଜୋକପାଣି ଜଙ୍ଗଲରେ ରବିବାର ନିଆଁ ଲାଗିଥିଲା। କିନ୍ତୁ ଏହାକୁ ଲିଭାଇବା ପାଇଁ ଅନ୍ୟ

କେହି ଉଦ୍ୟମ କରି ନ ଥିଲେ। ଏପରି କି ବନ ବିଭାଗ ନିକଟରେ ମଧ୍ୟ ଖବର ନ ଥିଲା। କିନ୍ତୁ ହରିଜନ ସାହିର ୭ ଜଣ ନାବାଳିକା ନନ୍ଦିନୀ ନାଏକ, ଜନନୀ ନାଏକ, ରାଣୀ ନାଏକ, ଲକ୍ଷ୍ମୀ ନାଏକ, ରିନା ନାଏକ, ଅଞ୍ଜଳି ନାଏକ ଏବଂ ରିମା ନାଏକ ଏହା ଜାଣି ଗାଁ ପାଖ ଜଙ୍ଗଲକୁ ଯାଇ ଡାଳପତ୍ର ସାହାଯ୍ୟରେ ତଳେ ପଡିଥିବା ଶୁଖିଲା ପତ୍ରକୁ ନିଆଁ ପାଖରୁ ଅଲଗା କରିଦେଇଥିଲେ। ଏଥିସହ ନିଆଁକୁ ଗଛ ଡାଳରେ ପିଟି ପିଟି ଲିଭାଇ ଦେଇଥିଲେ। ପିଲାମାନଙ୍କ ଏପରି କାର୍ଯ୍ୟ ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ସେମାନଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି। ପେଚାମୁଣ୍ଡି ସରପଞ୍ଚ ରମେଶ ପ୍ରଧାନ ସମ୍ପୃକ୍ତ ପିଲାମାନଙ୍କୁ ଭେଟିବା ସହିତ ସମ୍ମାନିତ କରିଛନ୍ତି। ଏ ସମ୍ପର୍କରେ ଜମର ଫରେଷ୍ଟର ସୁଧାଂଶୁ ବେହେରା କହିଛନ୍ତି, ଏହି କାର୍ଯ୍ୟ କରିଥିବା ଅଞ୍ଚଳର ନାବାଳିକାମାନଙ୍କୁ ସାଧୁବାଦ ଜଣାଉଛି। ଆଗାମୀ ଦିନରେ ବିଭାଗ ପକ୍ଷରୁ ସେମାନଙ୍କୁ ଉତ୍ସାହିତ କରାଯିବା ସହିତ ପ୍ରଶିକ୍ଷଣ ପ୍ରଦାନ କରାଯିବ।