ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ
ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ମଙ୍ଗଳବାର ପୁଣି ଗୋଷାଣିନୂଆଗାଁ ଥାନାରେ ହାଜର ହୋଇଛନ୍ତି। ପୀତବାସ ହତ୍ୟା ମାମଲାରେ ଜାମିନରେ ଥିବା ବିକ୍ରମ ଜେଲରୁ ସାକ୍ଷୀଙ୍କୁ ଧମକ ଦେଇଥିବା ଅଭିଯୋଗ ହେବାପରେ ପୂର୍ବରୁ ଦୁଇଥର ଜେଲରେ ହାଜର ହୋଇଥିଲେ। ମଙ୍ଗଳବାର ପୂର୍ବାହ୍ନ ସାଢେ ୧୧ଟାରେ ବିକ୍ରମ ଓ ତତ୍କାଳୀନ ବ୍ରହ୍ମପୁର ଜେଲ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କୁ ପୁଣିଥରେ ଥାନାରେ ହାଜର ହେବାକୁ ପୋଲିସ ନୋଟିସ ଦେଇଥିଲା। ଏହିକ୍ରମରେ ବିକ୍ରମ ତାଙ୍କ ଓକିଲଙ୍କ ସହ ଥାନାକୁ ଆସିଥିବା ବେଳେ ଡା. ପାଣିଗ୍ରାହୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ବ୍ରହ୍ମପୁର ଟାଉନ ଏସ୍ଡିପିଓ, ଥାନାଧିକାରୀ ଉଭୟଙ୍କୁ ମୁହଁାମୁହିଁ ଜେରା କରିଥିଲେ। କୋର୍ଟ ନିର୍ଦ୍ଦେଶରେ ଉଭୟଙ୍କ ଫୋନରେ କଥାବାର୍ତ୍ତାର ଭଏସ୍ ରେକର୍ଡିଂ ହୋଇଥିବା ବେଳେ ସେହି ଭଏସ ସ୍ପଷ୍ଟ କରିବାକୁ ସ୍ପେକ୍ଟ୍ରୋଗ୍ରାଫି ପାଇଁ ନମୁନା ସଂଗ୍ରହ ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ବିକ୍ରମଙ୍କ ହାତ ଆଙ୍ଗୁଠି ଭାଙ୍ଗିଥିବା ଦର୍ଶାଇ ସେ ଉକ୍ତ ନମୁନା ଦେଇପାରିବେ ନାହିଁ ବୋଲି କହିଛନ୍ତି। ଏ ନେଇ କୋର୍ଟକୁ ଜଣାଇ ଦିଆଯିବ ବୋଲି ପୋଲିସ କହିଛି। ବିକ୍ରମଙ୍କୁ ପୋଲିସ ୨ ଘଣ୍ଟା ଧରି ଜେରା କରିଥିଲା। ଅନ୍ୟପଟେ ଡା. ପାଣିଗ୍ରାହୀ ସ୍ପେକ୍ଟ୍ରୋଗ୍ରାଫି ନମୁନା ଦେବାକୁ ରାଜି ହୋଇଥିଲେ। ବିକ୍ରମ ଆସନ୍ତା ୧୬ ତାରିଖରେ ପୁଣି ଥାନାରେ ହାଜର ହେବେ ବୋଲି ଜଣାପଡିଛି। ପୋଲିସ ପୂରା ଘଟଣାର ଭିଡ଼ିଓ ରେକର୍ଡ କରିଛି।
ଜେଲରୁ ଭିତରୁ ପୀତବାସ ହତ୍ୟା ମାମଲାର ସାକ୍ଷୀ ତଥା ଆଇନଜୀବୀ ଲଳିତ ମୋହନ ମଙ୍ଗରାଜଙ୍କୁ ଗତ ଅଗଷ୍ଟ ୨୮ରେ ଧମକ ଦିଆଯାଇଥିଲା। ଏ ନେଇ ଲଳିତମୋହନ ଗୋଷାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୩୫୫/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂର୍ବରୁ ତତ୍କାଳୀନ ଜେଲ ଡାକ୍ତର ପାଣିଗ୍ରାହୀଙ୍କୁ ଥାନାରେ ହାଜର ପାଇଁ ନୋଟିସ କରିଥିଲା। ତାଙ୍କୁ ଜେରା ବେଳେ ଜେଲ ଭିତରେ ତାଙ୍କ ମୋବାଇଲ ଫୋନକୁ ବିକ୍ରମ ଓ ଅନ୍ୟ ଅଭିଯୁକ୍ତ ମଦନ ଦଳାଇ ବ୍ୟବହାର କରିଥିବା ସେ ପୋଲିସ ନିକଟରେ ସ୍ବୀକାର କରିଥିଲେ।