ନିଖୋଜ ମା’ଙ୍କୁ ଖୋଜୁଛି ବିଜୟ: ବଜାରରୁ ଗଳିକନ୍ଦି ବୁଲି ମାରୁଛନ୍ତି ପୋଷ୍ଟର

ଭୁବନେଶ୍ୱର, ୧୯ା୮(ପ୍ରସନଜିତ୍‌ ସାହୁ):ରାଜଧାନୀ ଭୁବନେଶ୍ବରରେ ନିଖୋଜଙ୍କ ସଂଖ୍ୟା ବଢି ଚାଲୁଥିବା ବେଳେ ଉଦ୍ଧାର କରିବାରେ ବିଫଳ ହେଉଛି କମିଶନରେଟ୍‌ ପୋଲିସ। ସିସିଟିଭି ଫୁଟେଜ୍‌ ଯାଞ୍ଚ ଆଳରେ ପୋଲିସ ଦିନ ଗଡାଉଥିବା ଅଭିଯୋଗ ହେଉଛି। ଫଳରେ ୮ ଦିନ ହେବ ନିଖୋଜ ମା’ ରମାମଣୀଙ୍କୁ ନ ପାଇ ପୁଅ ତଥା ବାଲିପାଟଣା ଥାନା ଅଞ୍ଚଳର ମଝିହରା ଗ୍ରାମର ବିଜୟ ଭୋଇ ଭାଙ୍ଗି ପଡିଛନ୍ତି। କ୍ୟାପିଟାଲ ଥାନାରୁ ଟ୍ରାଫିକ୍‌ ଥାନା ଓ କମିଶନରେଟ ପୋଲିସ ମୁଖ୍ୟାଳୟରୁ ନିରାଶ ହେବା ପରେ ଶେଷରେ ସେ ମା’ର ଫଟୋ ଧରି ସହରର ଗଳିକନ୍ଦି ବୁଲି ଖୋଜାଖୋଜି କରିବା ସହ ପୋଷ୍ଟର ମାରୁଥିବା ଦେଖିବାକୁ ମିଳୁଛି।
କହିବାନୁଯାୟୀ, ତାଙ୍କ ମା’ ରମାମଣୀ ମାନସିକ ରୋଗୀ। ଅର୍ଥାଭାବରୁ ସେ ତାଙ୍କୁ କୌଣସି ଘରୋଇ ହସ୍ପିଟାଲରେ ଉନ୍ନତ ଚିକିତ୍ସା ଦେଇ ନ ପାରି ପ୍ରତି ମାସରେ କ୍ୟାପିଟାଲ ହସ୍ପିଟାଲ ଆଣି ଡାକ୍ତର ଦେଖାନ୍ତି। ଗତ ୧୧ ତାରିଖରେ ସେ ତାଙ୍କ ମା’ଙ୍କୁ ଡାକ୍ତର ଦେଖାଇବା ପରେ ବାହାରେ ଏକ ସ୍ଥାନରେ ବସାଇ ଔଷଧ କିଣିବାକୁ ଯାଇଥିଲେ। ବିଜୟ ଔଷଧ ନେଇ ଫେରିବା ପରେ ତାଙ୍କ ମା’ଙ୍କୁ ଆଉ ପାଇ ନ ଥିଲେ। ହସ୍ପିଟାଲରୁ କେତେଜଣ ଅଧିକାରୀଙ୍କୁ ଅନୁରୋଧ କରିବା ପରେ ତାଙ୍କ ମା’ ୩ ନମ୍ବର ଗେଟ୍‌ ଦେଇ ବାହାରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା। ଏଣେତେଣେ ଖୋଜିବା ପରେ ମା’ଙ୍କୁ ନ ପାଇ ସେ ସିସିଟିଭି ଫୁଟେଜ୍‌ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଥାନାର ଜଣେ ମହିଳା କର୍ମଚାରୀ ତାଙ୍କୁ ଟ୍ରାଫିକ ଥାନା ଯିବାକୁ କହିଥିଲେ। ଏହାପରେ ସେ ଟ୍ରାଫିକ ଥାନା ମଧ୍ୟ ଯାଇଥିଲେ। ସେଠାରେ ଜଣେ କର୍ମଚାରୀ ତାଙ୍କୁ ସିପି ଅଫିସ ଯିବାକୁ କହିଥିଲେ। ଏହାପରେ ବିଜୟ ନିଖୋଜ ମା’ଙ୍କୁ ପାଇବା ଆଶାରେ ସିପି ଅଫିସ ଯାଇଥିଲେ। ସେଠାରେ କୌଣସି ସହାୟତା ନ ମିଳିବାରୁ ସେ ବରମୁଣ୍ଡା, ଖଣ୍ଡଗିରି, ମାଷ୍ଟରକ୍ୟାଣ୍ଟିନ ଆଦି ବିଭିନ୍ନ ସ୍ଥାନରେ ବୁଲିବୁଲି ପୋଷ୍ଟର୍‌ ମାରିଥିଲେ। କୌଣସି ରାଜନୈତିକ ବ୍ୟକ୍ତିଙ୍କ ମାମଲାରେ ପୋଲିସ ଅଧିକ ତତ୍ପରତା ଦେଖାଉଥିବା ବେଳେ ଗରିବଙ୍କୁ ଅଣଦେଖା କରୁଥିବା ବିଜୟ କାନ୍ଦି କାନ୍ଦି କହିଛନ୍ତି। ତାଙ୍କ ମା’ଙ୍କୁ କେହି ଦେଖିଲେ ବା କୌଣସି ସୂଚନା ପାଇଲେ ପୋଷ୍ଟରରେ ଲେଖାଥିବା ନମ୍ବରରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପଟେ ଅଭିଯୋଗ ପରେ ଏକ ମାମଲା (ନଂ. ୪୭/୨୦୨୬) ରୁଜୁ କରି ତଦନ୍ତ ଚାଲୁଥିବା କ୍ୟାପିଟାଲ ଥାନା ଆଇଆଇସି ରାଧାକାନ୍ତ ସାହୁ କହିଛନ୍ତି। ସୂଚନାଯୋଗ୍ୟ, ବରମୁଣ୍ଡା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରା ମାସେରୁ ଅଧିକ ଦିନ ହେବ ନିଖୋଜ ଥିଲେ ମଧ୍ୟ ଏଯାଏ ତା’ର ପତ୍ତା ମିଳିପାରିନି।

 

Dharitri – Odisha’s No.1 Odia Daily

 

Share