ମଣ୍ଡିରେ ଭିଜିଲା ଧାନ

କେନ୍ଦୁଝର, ୫।୧ (ସ୍ବ.ପ୍ର.)

କେନ୍ଦୁଝର ଜିଲାରେ ଚାଷୀଙ୍କଠାରୁ ଧାନ କିଣା ଚାଲିଛି। ଚାଷୀମାନେ ଧାନ ଓ ଟୋକନ ଧରି ମଣ୍ଡି ଆଗରେ ଅପେକ୍ଷା କରି ରହିଛନ୍ତି। ହେଲେ ଅନେକ ମଣ୍ଡିରେ ଧାନ ରଖିବା ପାଇଁ ଗୋଦାମ ବ୍ୟବସ୍ଥା ନାହିଁ କିମ୍ବା ଚାଷୀଙ୍କ ଲାଗି ବିଶ୍ରାମ ବ୍ୟବସ୍ଥା ନାହିଁ। ଫଳରେ ଚାଷୀମାନଙ୍କୁ ଶୀତ କାକର ଓ ଖରାରେ ମଣ୍ଡି ଆଗରେ ବସି ରହିବାକୁ ପଡୁଛି। ଏଭଳି ସ୍ଥିତିରେ ଅଦିନିଆ ବର୍ଷା ଦାଉ ସାଧୁଛି। ବର୍ଷା ପୂର୍ବାନୁମାନ ଯୋଗୁ ଅନେକ ତାରପୋଲିନ ବ୍ୟବସ୍ଥା କରି ଧାନ ଘୋଡ଼ାଇ ରଖିଛନ୍ତି। ଶୁକ୍ରବାର ଜିଲାରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଧାନ ଭିଜି ଯାଇଥିବା ଦେଖିବାକୁ ମିଳିଛି। ସେହିପରି ବର୍ଷା ଯୋଗୁ ଧାନର ଆର୍ଦ୍ରତା ବଢ଼ି ମାନ କମିଯିବା ଆଶଙ୍କାରେ ଠିକ୍‌ ମୂଲ୍ୟ ପାଇବେ କି ନାହିଁ ଭାବି ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।
ଅନ୍ୟପକ୍ଷେ କେତେକ ମଣ୍ଡିରେ ଧାନ କ୍ରୟ ନେଇ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ କରି ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚାଷୀମାନେ ଧାନ ବିକିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ ହେଁ ସେମାନଙ୍କୁ ମିଳିବାକୁ ଥିବା ସମସ୍ତ ବ୍ୟବସ୍ଥା କରାଯାଉ ନ ଥିବା ସଦର ବିଧାୟକ ମୋହନ ମାଝି କହିଛନ୍ତି। ଅନେକ ସମୟରେ ଦିନ ଦିନ ଧରି ଖର୍ଚ୍ଚାନ୍ତ ହୋଇ ଧାନ ବିକିବା ପାଇଁ ଅପେକ୍ଷା କରିବାକୁ ପଡୁଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରି ରାସ୍ତାରୋକୋ, ଘେରାଉ ଆଦି ଆନ୍ଦୋଳନ କରୁଛନ୍ତି। ବିଶେଷକରି ଚାଷୀମାନଙ୍କ ପାଇଁ ମଣ୍ଡିରେ ବ୍ୟବସ୍ଥା, ଉଚିତ୍‌ ମୂଲ୍ୟ ଏବଂ ଠିକ୍‌ ସମୟରେ ଧାନ କିଣା ଯାଉ ନ ଥିବା ନେଇ ଅଭିଯୋଗ ହେଉଥିଲେ ହେଁ ଠିକ୍‌ ତଦାରଖ ହେଉ ନ ଥିବାରୁ ଅସନ୍ତୋଷ କୁହୁଳୁଛି। ପ୍ରକାଶ ଯେ, ଜିଲାରେ ୧୪.୮୯ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଅଦ୍ୟାବଧି ୧୧ ଲକ୍ଷ କୁଇଣ୍ଟାଲ କିଣା ସରିଛି। ସେହିପରି ପ୍ରାୟ ୫୨ ହଜାର ଚାଷୀଙ୍କୁ ଟୋକନ ଦିଆଯାଇଥିବା ଜଣାପଡ଼ିଛି। ଜିଲାରେ ୫୪ ପ୍ୟାକ୍ସ ସମେତ ସମୁଦାୟ ୮୯ ମଣ୍ଡିରେ ଧାନ କିଣାଯାଉଥିବା ବେଳେ ମାର୍ଚ୍ଚ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରହିଛି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ହାଡ଼ିବନ୍ଧୁ ସେଠୀଙ୍କୁ
ପଚାରିବାରୁ ଚାଷୀଙ୍କଠାରୁ ଧାନ କିଣା ସୁରୁଖୁରୁରେ ଚାଲିଛି। ବର୍ଷା ପାଇଁ ତାର୍ପୋଲିନ ଘୋଡ଼ାଇ ରଖାଯାଇଥିବା କହିଛନ୍ତି।