ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର/ଲାଞ୍ଜିଗଡ଼,୭ା୩(ବ୍ୟୁରୋ/ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବିଶ୍ୱନାଥପୁର ହୀରାନୀଳା କଲେଜର ପ୍ରିନ୍ସପାଲଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରିନ୍ସପାଲ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ୱର, ଖୋର୍ଦ୍ଧା ଏବଂ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ବିଶ୍ୱସ୍ତ ସୂଚନା ଆଧାରରେ ଭବାନୀପାଟଣା ଭିଜିଲାନ୍ସ ବିଭାଗ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ଓ୍ବାରେଣ୍ଟ ବଳରେ  ଚଢ଼ାଉ ଚାଲିଛି।ଭୁବନେଶ୍ୱରସ୍ଥିତ ଆର୍ଯ୍ୟପଲ୍ଲୀରେ ପ୍ଲଟ୍‌ ନଂ ଏସ୍‌ବି-୦୭ ରେ ଥିବା ଆବାସିକ ଘର, କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ପୋଲିସ ସୀମା ଅନ୍ତର୍ଗତ ବିଶ୍ୱନାଥପୁରସ୍ଥିତ ଘର, ଖୋର୍ଦ୍ଧାଠାରେ ଥିବା କ୍ରସର୍‌ ୟୁନିଟ୍‌,କଳାହାଣ୍ଡି ନିକଟ ପୋଖରୀବନ୍ଧରେ କ୍ରସର ୟୁନିଟ୍‌, ତାଙ୍କ ଅଫିସରେ ଚଢ଼ାଉ ଚାଲିଛି। ଅଧିକ ତଦନ୍ତ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ କରାଯାଇନାହିଁ।