କୋଟିପତି ପିଏସ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଘଟଣା: ମାମଲାରେ ଛନ୍ଦି ହେଲେ ବିରଞ୍ଚିଙ୍କ ସ୍ତ୍ରୀ, ସଡ଼ୁ

ଭୁବନେଶ୍ୱର,୨।୮(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ସଦସ୍ୟଙ୍କ କୋଟିପତି ପ୍ରାଇଭେଟ୍‌ ସେକ୍ରେଟାରି (ପିଏସ୍‌) ବିରଞ୍ଚି ନାରାୟଣ ସାହୁଙ୍କୁ ଶନିବାର ଭିଜିଲାନ୍ସ ଗିରଫ କରିଥିଲା। ସେ ଏବେ ଝାରପଡ଼ା ଜେଲ୍‌ରେ ଥିବାବେଳେ ଏହି ମାମଲାରେ ତାଙ୍କ ସ୍ତ୍ରୀ, ସଡ଼ୁ ଓ ସମ୍ପର୍କୀୟ ଛନ୍ଦି ହୋଇଯାଇଛନ୍ତି। ବିଭିନ୍ନ ଦଫାରେ ଭିଜିଲାନ୍ସ ରୁଜୁ କରିଥିବା କେସ୍‌ ନଂ.୧୬/୨୧ରେ ବିରଞ୍ଚି ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଆୟବହିର୍ଭୂତ ସମ୍ପତ୍ତି ଠୁଳରେ ସ୍ତ୍ରୀ ଓ ଅନ୍ୟମାନେ ସହଯୋଗୀ ଥିବା ଦର୍ଶାଇ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ତେବେ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣି କଳାଟଙ୍କା କାରବାର ଓ ଚାକିରି ର଼୍ୟାକେଟର ଗୁମର ଖୋଲିବାକୁ ଭିଜିଲାନ୍ସ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି।
ଶୁକ୍ରବାର ବିରଞ୍ଚିଙ୍କ ଭୁବନେଶ୍ୱର ନୀଳାଦ୍ରିବିହାରସ୍ଥିତ ବାସଭବନ, କଟକସ୍ଥିତ ଶ୍ୱଶୁର ଘର ସମେତ ଦ୍ୱୈତନଗରୀର ୬ସ୍ଥାନରେ ଭିଜିଲାନ୍ସର ୩ ଟିମ୍‌ ଚଢାଉ କରିଥିଲା। ଯାଞ୍ଚ ସମୟରେ ନୀଳାଦ୍ରିବିହାର ୨ମହଲା ଘରୁ ଦେଢ କେଜି ସୁନା ଅଳଙ୍କାର, ନଗଦ ୧୨ଲକ୍ଷ ଟଙ୍କା, ୫୬ଲକ୍ଷ ଟଙ୍କାର ବୀମା, ବ୍ୟାଙ୍କ ଜମା, ବିଦେଶୀ ଟଙ୍କା, ଛାତ୍ରୀଛାତ୍ରଙ୍କ ଆଡ୍‌ମିଟ୍‌ କାର୍ଡ଼, କାର, ବାଇକ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ଏଥିସହିତ ବିରଞ୍ଚି ଓ ପରିବାର ସଦସ୍ୟଙ୍କ ନାଁରେ ବିଭିନ୍ନ ସ୍ଥାନରେ ଥିବା ୧୪ଟି ପ୍ଲଟ୍‌, ଦୁଇଟି ଦୁଇ ମହଲା କୋଠା ସମେତ ମୋଟ ୪ ଘର ଥିବା ଜଣାପଡିଥିଲା। ସେହିଭଳି ତାଙ୍କ ସମ୍ପର୍କୀୟଙ୍କ ଘରୁ ମଧ୍ୟ ୧୩ଲକ୍ଷ ନଗଦ ଟଙ୍କା ଓ ବିଭିନ୍ନ କାଗଜପତ୍ର ଜବତ କରାଯାଇଥିଲା। ଯାଞ୍ଚ ପରେ ବିରଞ୍ଚି ମୋଟ ୩କୋଟି ୫୧ଲକ୍ଷ ୫୧ହଜାର ୯୨୧ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ସୂଚନା ଦେଇଥିଲା। ତେବେ ଜବତ ସମ୍ପତ୍ତି ମଧ୍ୟରେ ଅଧିକାଂଶ ବିରଞ୍ଚିଙ୍କ ସ୍ତ୍ରୀଙ୍କ ନାମରେ ରହିଛି। ଜବତ ଏକାଧିକ ରସିଦରୁ ବିରଞ୍ଚିଙ୍କ ଟଙ୍କା କାରବାର ସ୍ପଷ୍ଟ ହୋଇଛି। ଏସବୁଥିରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏଥିସହ ବିରଞ୍ଚିଙ୍କ କୋଳଥିଆ ନିକଟରେ ଥିବା ଘରେ ଟଙ୍କା ଡିଲ ନେଇ ଯାଞ୍ଚ କରାଯିବ। ଆବଶ୍ୟକ ପଡିଲେ ତାଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି ଆର. ପ୍ରକାଶ କହିଛନ୍ତି। ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ସେ କହିଛନ୍ତି।