ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦ୍ରାପଡା,୩।୫ (ଜଗନ୍ନାଥ ଧଳ): ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଜମିଜମା ମାମଲାର ସମାଧାନ ଲାଗି ଲାଞ୍ଚ ନେବା ବେଳେ ଧରାପଡ଼ିଥିବା ଜଣାପଡିଛି।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ବ୍ଲକ ଶ୍ୟାମସୁନ୍ଦରପୁରର ଗାୟତ୍ରୀ ମିଶ୍ରଙ୍କ ଏକ ଜମିଜମା ସମ୍ପର୍କିତ ମାମଲାର ରଫାଦଫା କରିବା ପାଇଁ ଲାଞ୍ଚ ମାଗିଥିଲେ। ଗାୟତ୍ରୀ କଟକ ଭିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଆଜି କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପି ଭାଗ୍ୟଲକ୍ଷ୍ମୀ ପୁହାଣଙ୍କ ନେତୃତ୍ୱରେ ଏକ ଛଅ ଜଣିଆ ଟିମ ଚକବନ୍ଦୀ କମିଶନରଙ୍କ କାର୍ଯ୍ୟାଳୟରେ ଛକି ରହିଥିଲେ। ଅଭିଯୋଗକାରିଣୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜିତେନ୍ଦ୍ରଙ୍କୁ ମାଡି ବସିଥିଲା ଭିଜିଲାନ୍ସ। ୨୦ଟି ୫୦୦ ଟଙ୍କିଆ ନୋଟକୁ ଭିଜିଲାନ୍ସ ବିଭାଗ ଜିତେନ୍ଦ୍ରଙ୍କଠାରୁ ଜବତ କରିବା ସହ ଜିତେନ୍ଦ୍ରଙ୍କୁ ଭିଜିଲାନ୍ସ ଡିଏସପିଙ୍କ କାର୍ଯ୍ୟାଳୟକୁ ଆଣି ପଚରାଉଚରା ଆରମ୍ଭ କରିଛି। ଏଥିସହ ଜିତେନ୍ଦ୍ରଙ୍କ ଭଡ଼ାରେ ରହୁଥିବା ସଦର ଥାନା ଅନ୍ତର୍ଗତ ଠାକୁର ପାଟଣା ଗାଁରେ ଓ ପୈତୃକ ଘର ତାଳସଙ୍ଗାରେ ଭିଜିଲାନ୍ସ ବିଭାଗର ଦୁଇଟି ଟିମ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।