ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଏକକାଳୀନ ୭ଟି ସ୍ଥାନରେ ଚଢାଉ

ସୁନ୍ଦରଗଡ଼/ଭଦ୍ରକ,୬।୬(ଡି.ଏନ୍‌.ଏ.): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲା ଗ୍ରାମୀଣ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘର ସମେତ ସୁନ୍ଦରଗଡ଼ ଏବଂ ଭଦ୍ରକ ଜିଲାର ୭ଟି ସ୍ଥାନରେ ମଙ୍ଗଳାବର ଭିଜିଲାନ୍ସ ଚଢାଉ କରାଯାଇଛି। ଏହି ଚଢାଉରେ ୪ ଡିଏସ୍‌ପି, ୧୦ ଇନ୍ସପେକ୍ଟର, ୪ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

ଅଧିକାରୀମାନେ ଯନ୍ତ୍ରୀ ବେହେରାଙ୍କ ସୁନ୍ଦରଗଡ଼ସ୍ଥିତ କାର୍ଯ୍ୟାଳୟ ସାଙ୍ଗକୁ ଭଡ଼ା ଘର ଏବଂ ଲେଫ୍ରିପଡା ସବ୍‌ ଡିଭନ ଦାୟିତ୍ୱରେ ଥିବା ଅଫିସରେ ମଧ୍ୟ ଚଢାଉ କରିଛନ୍ତି। ଅନ୍ୟପକ୍ଷେ
ଭଦ୍ରକ ଟାଉନରେ ଅବସ୍ଥିତ ଯନ୍ତ୍ରୀ ବେହେରାଙ୍କ ଦୁଇ ମହଲା କୋଠା ଏବଂ ଜନ୍ମ ସ୍ଥାନ ବନ୍ତ ସ୍ଥିତ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। ଚଢାଉ ଜାରି ରହିଥିବା ବେଳେ ସମ୍ପତ୍ତିର ଆକଳନ କରାଯାଇ ନାହିଁ।