ଲୋକାୟୁକ୍ତରେ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କୋଭିଡ୍‌ ମହାମାରୀରେ ପିପିଇ କିଟ୍‌, ମାସ୍କ ଏବଂ ସାନିଟାଇଜର କ୍ରୟରେ ହୋଇଥିବା ଅନିୟମିତତା ପ୍ରସଙ୍ଗରେ ରାଜ୍ୟ ଭିଜିଲାନ୍ସ ମଙ୍ଗଳବାର ଲୋକାୟୁକ୍ତରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛି। ଲୋକାୟୁକ୍ତର ତିନିଜଣିଆ ସ୍ବତନ୍ତ୍ର ଖଣ୍ଡପୀଠ ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ।
ରାଜ୍ୟ ଔଷଧ ନିଗମ କୋଭିଡ୍‌-୧୯ ମୁକାବିଲା ପାଇଁ ଉଦ୍ଦିଷ୍ଟ ସାମଗ୍ରୀ କିଟ୍‌, ମାସ୍କ, ସାନିଟାଇଜର କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଏହାର ନିରପେକ୍ଷ ତଦନ୍ତ ପାଇଁ ଗତ ଜୁନ୍‌ ୮ରେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଲୋକାୟୁକ୍ତଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ଅଗଷ୍ଟ ୭ରେ କଂଗ୍ରେସ ନେତା ସୁଦର୍ଶନ ଦାସ ମଧ୍ୟ ମାସ୍କ କିଣା ଦୁର୍ନୀତି ନେଇ ଲୋକାୟୁକ୍ତଙ୍କ ନିକଟରେ ଆଉ ଏକ ଅଭିଯୋଗ କରିଥିଲେ। ଉଭୟ ଆବେଦନକୁ ବିଚାରକୁ ନିଆଯାଇ ଡିସେମ୍ବର ୭ରେ ଲୋକାୟୁକ୍ତଙ୍କ ସ୍ବତନ୍ତ୍ର ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ବିଚାରକୁ ନେଇ ରାଜ୍ୟ ଭିଜିଲାନ୍ସକୁ ଏହାର ନିରପେକ୍ଷ ତଦନ୍ତ କରି ଦୁଇମାସ ଭିତରେ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଗତ ଫେବୃୟାରୀ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଭିଜିଲାନ୍ସ ନିର୍ଦ୍ଦିିଷ୍ଟ ସମୟସୀମା ମଧ୍ୟରେ ରିପୋର୍ଟ ଦାଖଲ କରିବାରେ ବିଫଳ ହୋଇଥିବାରୁ ଲୋକାୟୁକ୍ତଙ୍କୁ ଆଉ ଏକ ମାସ ପ୍ରାର୍ଥନା କରିଥିଲା। ମଙ୍ଗଳବାର ମାମଲାର ଶୁଣାଣି ହୋଇଥିଲା। ରାଜ୍ୟ ଭିଜିଲାନ୍ସ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର ସୁନିଲ କୁମାର ପତି ହାଜର ହୋଇ ଳୋକାୟୁକ୍ତଙ୍କୁ ତାଙ୍କର ତଥ୍ୟ ବା ରିପୋର୍ଟ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ରାଜ୍ୟ ଔଷକ୍ଷ ନିଗମ ପକ୍ଷରୁ ଜେନରୋଲ ମ୍ୟାନେଜର(ଇକ୍ୟୁପମେଣ୍ଟ) ସୌଭାଗ୍ୟ ରଞ୍ଜନ ରଣସିଂହ ଏବଂ ସିନିୟର ମ୍ୟାନେଜର(ଇକ୍ୟୁପମେଣ୍ଟ) ତାପସ ରଞ୍ଜନ କର ହାଜର ହୋଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ୨୬ତାରିଖରେ ହେବ ବୋଲି ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିବା ଓଡ଼ିଶା ବିକାଶ ପରିଷଦ ସଭାପତି ସୁଶାନ୍ତ କୁମାର ପାଢ଼ୀ କହିଛନ୍ତି। ଏ ସମ୍ପର୍କରେ ସୁଦର୍ଶନ ଦାସ କହିଛନ୍ତି, ଭିଜିଲାନ୍ସ ଦାଖଲ କରିଥିବା ରିପୋର୍ଟ ଉପରେ ଅନୁଧ୍ୟାନ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ମାସ୍କ, ପିପିଇ କିଟ ଓ ଅନ୍ୟାନ୍ୟ ଉପକରଣ କିଣାରେ ଦୁର୍ନୀତିରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ।