ଆଜିଠାରୁ ଭିଜିଲାନ୍ସ ସଚେତନତା ସପ୍ତାହ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ସୋମବାରଠାରୁ ଭିଜିଲାନ୍ସ ସଚେତନତା ସପ୍ତାହ ଆରମ୍ଭ ହେଉଛି। ଏଥିପାଇଁ ଭିଜିଲାନ୍ସ ପକ୍ଷରୁ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ଲୋକସେବା ଭବନରେ ସୋମବାର ପୂର୍ବାହ୍ନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ସମ୍ମାନିତ ଅତିଥି ଭାବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତବର୍ଷ ଏହି ସପ୍ତାହର ବିଷୟବସ୍ତୁ ରହିଛି ‘ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ’। ଏହି ଅବସରରେ ସରକାରୀ ଅଧିକାରୀମାନେ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଦୁର୍ନୀତିମୁକ୍ତ ଭାରତ ପାଇଁ ଶପଥ ନେବେ। ଏଥିସହ ଏହି କାର୍ଯ୍ୟକ୍ରମରେ ୭୦ ଲକ୍ଷ ସ୍ବୟଂ ସହାୟକ ମହିଳା ଗ୍ରୁପର ସଦସ୍ୟା ମଧ୍ୟ ଯୋଡି ହେବେ। ସେହିଭଳି ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଆଇଟି ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ ଓ ବ୍ଲକ ଅଫିସକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡାଯିବ । ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ସପ୍ତାହ ପାଳନ ଅବସରରେ ଜିଲା ଓ ବ୍ଲକସ୍ତରରେ ସାଧାରଣ ସଭାର ଆୟୋଜନ କରାଯିବ। ଏଥିରେ ଛାତ୍ର, ଯୁବକ, ଶିକ୍ଷାବିତ୍‌, ଅବସରପ୍ରାପ୍ତ ସରକାରୀ ଅଧିକାରୀ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଦୁର୍ନୀତି
ସଚେତନ କରାଯିବ। ଅଧିକ ସଚେତନତା ପାଇଁ ବିଦ୍ୟାଳୟ ଓ କଲେଜରେ ବିତର୍କ, କୁଇଜ୍‌, କାର୍ଟୁନ୍‌, ଦୁର୍ନୀତି ନିବାରଣ ପ୍ରସଙ୍ଗ ଉପରେ ସ୍ଲୋଗାନ, ପେଣ୍ଟିଂ, ରଙ୍ଗୋଲି ଏବଂ ପୋଷ୍ଟର ପ୍ରତିଯୋଗିତା କରାଯିବ। ଏହା ବ୍ୟତୀତ ଗ୍ରାମାଞ୍ଚଳରେ ଏନେଇ ଅଧିକ ସଚେତନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଲୋକମାନେ ଭିଜିଲାନ୍ସ ଟୋଲ୍‌ ଫ୍ରି ନମ୍ବର (୧୦୬୪)ରେ କଲ୍‌ କିମ୍ବା ଏସ୍‌ଏମ୍‌ଏସ୍‌ କରି ଦୁର୍ନୀତି ସଂକ୍ରାନ୍ତରେ ଅଭିଯୋଗ କରିପାରିବେ। ଏଥିସହ ଅନ୍‌ଲାଇନ୍‌ରେ ଦୁର୍ନୀତି ବିରୋଧରେ ଭିଜିଲାନ୍ସ ୱେବ୍‌ସାଇଟରେ ଅଭିଯୋଗର ପଞ୍ଜୀକରଣ କରିପାରିବେ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।