ଭୁବନେଶ୍ୱର/ସମ୍ବଲପୁର,୨୪।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି (ସିଏଡିଏ) ବା ସେଚାଞ୍ଚଳ ଉନ୍ନୟନ ପ୍ରାଧିକରଣ ନିର୍ବାହୀ ଯନ୍ତ୍ରୀ (କୃଷି) ଇଂ. ପଦ୍ମଲୋଚନ ନାୟକଙ୍କୁ ବୁଧବାର ଗିରଫ କରିଛି ଭିଜିଲାନ୍ସ। ନିଜ ଆୟଠାରୁ ୧୧୯% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ରେଡ ବେଳେ ୩ଟି ବିଲ୍ଡିଂ ଓ ୧୮ଟି ପ୍ଲଟ ଠାବ ହୋଇଥିଲା। ୩.୪୫ ଲକ୍ଷ କ୍ୟାସ, ୩ଟି ଚାରିଚକିଆ, ୨ ଜେସିବି, ଟ୍ରାକ୍ଟର, ଟ୍ରେଲର ମିଳିଥିଲା। ୨୦ ଲକ୍ଷ ଟଙ୍କା ମୂଲ୍ୟରେ ସୁନା ଗହଣା ଓ ଘରକରଣା ସାମଗ୍ରୀ ମଧ୍ୟ ମିଳିଛି।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ମଙ୍ଗଳବାର ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ପଦ୍ମଲୋଚନଙ୍କ ୭ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ଭିଜିଲାନ୍ସ ଟିମ୍ ସମ୍ବଲପୁର, କଟକ, ବାଲେଶ୍ୱର ଏବଂ ମାଲକାନଗିରି ଜିଲାରେ ଥିବା ପଦ୍ମଲୋଚନଙ୍କ ବିଭିନ୍ନ ଠିକଣାରେ ଖାନତଲାସ କରିଥିଲା।
ଏହି କ୍ରମରେ ସମ୍ବଲପୁର ଧନୁପାଲିସ୍ଥିତ ତାଙ୍କ ଭଡ଼ାଘର ଏବଂ ସେହି ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଯାଞ୍ଚ ଚାଲଥିଲା। ଏହାସହ କଟକ ବିଦ୍ୟାଧରପୁରରେ ଥିବା ତାଙ୍କର ୭ହଜାର ବର୍ଗଫୁଟର ୩ ମହଲା ବିଶିଷ୍ଟ ଆବାସିକ ଗୃହ ଏବଂ ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମୁକୁଳିସି ଗ୍ରାମରେ ଥିବା ୧୪୬୫ ବର୍ଗଫୁଟର ୨ମହଲା କୋଠା ଉପରେ ମଧ୍ୟ ଚଢ଼ାଉ କରାଯାଇଥିଲା। କେବଳ ସେତିକି ନୁହେଁ, ପଦ୍ମଲୋଚନଙ୍କ ସହଯୋଗୀ ମଧ୍ୟ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। କଟକ ସହରରେ ଥିବା ତାଙ୍କର ୨ଜଣ ସହଯୋଗୀଙ୍କ ବାସଭବନ ଏବଂ ମାଲକାନଗିରି ଜିଲାର କାଲିମେଳା ସ୍ଥିତ ଆଉ ଜଣେ ସହଯୋଗୀଙ୍କ ବାସଭବନରେ ମଧ୍ୟ ଏକକାଳୀନ ସର୍ଚ୍ଚ ଅପରେଶନ କରାଯାଇଥିଲା। ଚଢାଉବେଳେ ପଦ୍ମଲୋଚନଙ୍କର ଓ ତାଙ୍କ ପରିଜନଙ୍କ ନାମରେ ଥିବା ବହୁ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ଅମାପ ସମ୍ପତ୍ତି ଠାବ କରାଯାଇଥିଲା ଭୁବନେଶ୍ୱର, କଟକ, ଯାଜପୁରର କୋରେଇ, ବାଲେଶ୍ୱରର ବସ୍ତା ଏବଂ ପୁରୀର ଡେଲାଙ୍ଗ ଭଳି ସ୍ଥାନରେ ପ୍ରାୟ ୧୫ଟି ମୂଲ୍ୟବାନ୍ ପ୍ଲଟ୍ ଠାବ ହୋଇଛି। କେବଳ ସେତିକି ନୁହେଁ, ପଦ୍ମଲୋଚନଙ୍କଠାରୁ ନଗଦ ୩,୪୫,୦୦୦ ଟଙ୍କା ସମେତ ଶ୍ରୀଲଙ୍କା, ନେପାଳ, ବାହାରିନ୍ ଏବଂ ଆମେରିକା (ୟୁଏସ୍ ଡଲାର) ଭଳି ବିଦେଶୀ ମୁଦ୍ରା ମଧ୍ୟ ଜବତ କରାଯାଇଛି। ତାଙ୍କର ବିଭିନ୍ନ ବ୍ୟାଙ୍କ ଓ ଡାକଘର ଜମା ସହ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନରେ ହୋଇଥିବା ପୁଞ୍ଜିନିବେଶର ଯାଞ୍ଚ୍ କରାଯାଇଛି।