ପ୍ରେମ ଆଗରେ ହାର ମାନିଲା ସୀମା ବିବାଦ:  ବିଦେଶିନୀଙ୍କ ହାତ ଧରିଲେ କ୍ଷୀରୋଦ

ଖଇରା, ୧୧ା୭(ଡି.ଏନ.ଏ.)-ଭାରତ-ନେପାଳ ସୀମା ବିବାଦ ହେଉ କି କରୋନା ଲକଡାଉନ କଟକଣା ସବୁ ସମସ୍ୟା ପ୍ରେମ ଆଗରେ ହାର ମାନିଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବାଲେଶ୍ବର ଜିଲା ଖଇରା ବ୍ଲକ ଗୋଳିହା ଗ୍ରାମର କ୍ଷିରୋଦ ସିଅ ନାମକ ଯୁବକ ତାଙ୍କ ପ୍ରେମିକା ନେପାଳ ଯୁବତୀଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ଏଥିରେ ମୁଖ୍ୟ ଭୂମିକା ନିଭାଇଛନ୍ତି ସ୍ଥାନୀୟ ସରପଞ୍ଚ ପୁଷ୍ପଲତା ଘଡେଇ ତାଙ୍କ ସ୍ବାମୀ ସମ୍ପଦ। ସରପଞ୍ଚ ଦମ୍ପତିଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି ପ୍ରେମୀଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
କ୍ଷିରୋଦ ସିଅ ବମ୍ବେରେ କାମ କରୁଥିବା ବେଳେ ୨୩ ବର୍ଷୀୟା ନେପାଳ ଯୁବତୀ ପ୍ରଣିଶା ବିସ୍ତାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହି ଯୁବତୀ ଜଣକ ବମ୍ବେରେ ତାଙ୍କ ଭଉଣୀ ଭିଣୋଇଙ୍କ ପାଖରେ ରହୁଥିଲେ। ମାର୍ଚ୍ଚରେ ଲକ୍‌ଡାଉନ ଘୋଷଣା ହେବା ପରେ କ୍ଷୀରୋଦ ଘରକୁ ଆସିବାକୁ ବ୍ୟଗ୍ର ହୋଇପଡିଥିଲେ। ହେଲେ ନିଜର ପ୍ରେମିକାଙ୍କ କଥା ଭାବି ଦୋଛକିରେ ପଡିଯାଇଥିଲେ। ମେ’ ବେଳକୁ ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦକୁ ନେଇ ତିକ୍ତତା ଆରମ୍ଭ ହୋଇଯିବା ପରେ କ୍ଷୀରୋଦ ଅଡୁଆରେ ପଡିଯାଇଥିଲେ। ପ୍ରଣିଶାଙ୍କ ଭଉଣୀ ଭିଣୋଇ ନିଜ ଦେଶକୁ ପଳାଇଯାଇଥିଲେ ହେଁ ସେ କ୍ଷୀରୋଦଙ୍କୁ ଛାଡି ଯାଇ ନ ଥିଲେ। କ୍ଷୀରୋଦ ନିଜ ମନକୁ ଦୃଢ କରି ପ୍ରଣିଶାଙ୍କୁ ସାଙ୍ଗରେ ଧରି ଗୋଳିହା ଗ୍ରାମକୁ ପଳାଇ ଆସିଥିଲେ। ହେଲେ ବାହାରୁ ଆସିଥିବାରୁ ଘର ଲୋକ ଗ୍ରହଣ କରିବାକୁ ସାହସ କରି ନ ଥିଲେ। ଏହି ଖବର ସରପଞ୍ଚ ଓ ତାଙ୍କ ସ୍ବାମୀ ଜାଣିବା ପରେ ସେମାନଙ୍କୁ ସ୍ଥାନୀୟ ଗୋଳିହା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରଖାଇଥିଲେ। ଶେଷରେ ଖଇରା ଆଇଆଇସି ଓ ବିଡିଓଙ୍କ ପରାମର୍ଶକ୍ରମେ ଶୁକ୍ରବାର ସଙ୍ଗରୋଧ କେନ୍ଦ୍ର ସଂଲଗ୍ନ ଚଣ୍ଡି ମନ୍ଦିରରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ସରପଞ୍ଚ ଓ ତାଙ୍କ ସ୍ବାମୀ କନ୍ୟାଦାନ କରିବା ସହ ସରକାରଙ୍କ ଗାଇଡଲାଇନ ମୁତାବକ ଗ୍ରାମବାସୀଙ୍କୁ ଭୋଜି ଖୁଆଇଥିଲେ। ଉଭୟ କନ୍ୟା ବର ଖୁବ୍‌ ଖୁସି ଥିବା କହିଛନ୍ତି। ପଣ୍ଡିତ ନୃସିଂହ ଦ୍ବିବେଦୀ, ମନୋରଞ୍ଜନ ଶୁକ୍ଳ, ରାଧାକାନ୍ତ ମିଶ୍ର, ମଧୁସୂଦନ ପଣ୍ଡାଙ୍କ ସମେତ ଭାଗିରଥି ଶିଅ, ରାମଚନ୍ଦ୍ର ବାରିକ ପ୍ରମୁଖ ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ।