ଶୋଷଣର ଶିକାର ମହୁଲଫୁଲ ଗୋଟାଳି

ଭବାନୀପାଟଣା,୧୭।୩(ସ୍ବ.ପ୍ର.): ମହୁଲ ଫୁଲ ପଶ୍ଚିମ ଓଡିଶାର ଗ୍ରାମ୍ୟ ଜନଜୀବନରେ ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିବାରେ ସହାୟକ ହୁଏ। ଦୁର୍ବଳ ଥିବା ବ୍ୟକ୍ତି ବିଶେଷଙ୍କର ଆଶାର ସଞ୍ଚାର କରି ପରିବାର ପାଇଁ ଆନନ୍ଦ ଉଲ୍ଳାସର ଦ୍ରବ୍ୟ ହେଉଛି ମହୁଲ। କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କୁ ବେଶ ଭଲ ରାଜସ୍ବ ଯୋଗାଇ ଥିବା ଏକ ମାପକାଠି ହେଉଛି ମହୁଲ ଫୁଲ। କଳାହାଣ୍ଡି ଜିଲାରେ ଉଚିତ ବଜାର ସୁବିଧା ନ ଥିବାରୁ ସଂଗ୍ରହକାରୀ ଦଲାଲ ହାବୁଡରେ ପଡି ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ଜିଲାର ଗରିବ ଆଦିବାସୀ ଭୋରରୁ ଜଙ୍ଗଲକୁ ଯାଇ ମହୁଲ ଗଛ ତଳୁ ଫୁଲ ସଂଗ୍ରହ କରି ଦୁଇ ପଇସା ରୋଜଗାର କରିବା ତାଙ୍କର ଆଶା ଥାଏ। ହେଲେ ପଞ୍ଚାୟତରେ ଧାର୍ଯ୍ୟ ହୋଇଥିବା ମୂଲ୍ୟ ସେମାନେ ଜାଣିପାରନ୍ତି ନାହିଁ। ଅଞ୍ଚଳର ବ୍ୟବସାୟୀମାନେ ଦଲାଲମାନଙ୍କ ହାତ ବାରିସି କରି ଗରିବ ନୀରିହ ମହୁଲ ଗୋଟାଳିଙ୍କଠାରୁ କମ ଦରରେ କ୍ରୟ କରି ମୋଟା ଅଙ୍କରେ ଟଙ୍କା କମାଇବାର ମାଧ୍ୟମ ହୋଇପଡିଛି। ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ପରି ମହୁଲ ଫୁଲ କ୍ରୟ କରିବା ପାଇଁ ୨୦୦୨ରେ ଗ୍ରାମ୍ୟ ପଞ୍ଚାୟତକୁ ଧାର୍ଯ୍ୟ ଦର ହସ୍ତାନ୍ତର ସରକାରଙ୍କ ଦ୍ୱାରା କରାଯାଇଛି। ସେହି ବର୍ଷ ପଞ୍ଚାୟତରେ ନିୟମ ଲାଗୁ କରାଯାଇ ପଞ୍ଚାୟତିରାଜ ସମିତି ପକ୍ଷରୁ ଏକ କମିଟି ଜରିଆରେ ୧୦୦ ଟଙ୍କାର ଲାଇସେନ୍ସ କରି ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ଅନ୍ୟ ପଞ୍ଚାୟତରୁ କ୍ରୟ କରିବାର ଅଧିକାର ସାବ୍ୟସ୍ତ କରାଯାଇଛି। ହେଲେ ଦଲାଲ ହାବୁଡରେ ପଡି ମହୁଲ ଫୁଲ ଗୋଟାଳିର ଆଶା ଆଶାରେ ହିଁ ରହିଯାଉଛି। ମହୁଲ ଫୁଲ ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହାର କାରଣରୁ ସରକାର ପ୍ରଚୁର ରାଜସ୍ବ ପାଉଛନ୍ତି। ଚଳିତବର୍ଷ ଜିଲାରେ ମହୁଲ କିଣିବା ପାଇଁ ୮୦ ଜଣଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ଜିଲାପାଳ ସୂଚନା ଦେଇଥିଲେ। ହେଲେ ପରିଚାଲନାଗତ ତ୍ରୁଟି ଯୋଗୁ ମହୁଲ ଫୁଲ ଗୋଟାଳି ଲାଭ ପ୍ରତିବଦଳରେ କ୍ଷତି ସହୁଛନ୍ତି। ରାଜ୍ୟ ସରକାର ମହୁଲ ଗୋଟାଳିଙ୍କ ପାଇଁ ଏକ ନିୟମ ଧାର୍ଯ୍ୟ କରି ସିଧାସଳଖ ମହୁଲ ନେଲେ ସେମାନେ ଲାଭବାନ ହେବେ ବୋଲି କହିଛନ୍ତି।