ବିଧାୟକଙ୍କ ଚାଷକୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ନବରଙ୍ଗପୁର ଜିଲା ଡାବୁଗଁ। ବିଧାୟକ ମନୋହର ରନ୍ଧାରୀ ପ୍ରତ୍ୟେକ ବର୍ଷ ଦୁଇ ମାସ ପାଇଁ ନିଜ ଜମିରେ ଚାଷ କରନ୍ତି। ସବୁଥର ଭଳି ଏଥର ମଧ୍ୟ ସେ ନିଜ ଜମିରେ ଚାଷ କରୁଥିବା ଦେଖିବାକୁ ମିଳିଛି। ସେ ଏହି କାମ ବହୁ ଆଗ୍ରହ ସହକାରେ କରୁଥିବା ନେଇ ଖବର ପ୍ରଚାର ପ୍ରସାର ହେବାପରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କୁ ପ୍ରଶଂସା କରିଛନ୍ତି। ଉପରାଷ୍ଟ୍ରପତି ଏନେଇ ଟୁଇଟ୍‌ କରି କହିଛନ୍ତି, ବିଧାୟକଙ୍କ ଏହି କାର୍ଯ୍ୟ ପ୍ରେରଣାଦାୟୀ। ଓଡ଼ିଶା ବିଧାୟକ ରନ୍ଧାରୀ ପ୍ରତିବର୍ଷ ୨ ମାସ ତାଙ୍କ ଧାନ କ୍ଷେତରେ କାମ କରନ୍ତି। ବିଧାୟକ ଜଣାଇଛନ୍ତି, ଯୁବକମାନେ କ୍ଷେତରେ କାମ କରିବାକୁ କୁଣ୍ଠାବୋଧ କରିବା ଅନୁଚିତ। ଉପରାଷ୍ଟ୍ରପତିଙ୍କ ଏହି ଟୁଇଟ୍‌ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରିଟୁଇଟ୍‌ କରି ତାଙ୍କୁ ଆହୁରି ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ବିଧାୟକଙ୍କ ଏହି କାର୍ଯ୍ୟ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ତାଙ୍କର ନିଜ କୃଷିକ୍ଷେତ୍ର ପାଇଁ ଏଭଳି ମନୋଭାବ ପ୍ରେରଣାଦାୟକ। ଏହା ତାଙ୍କ କାମ ଏବଂ କୃଷିକ୍ଷେତ୍ର ଲାଗି ଗର୍ବର ବିଷୟ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାସହ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ଆହୁରି ଅନ୍ୟ ବିଧାୟକମାନେ ମଧ୍ୟ ଟୁଇଟ୍‌ କରି ଏହାକୁ ପ୍ରଶଂସା କରିଛନ୍ତି।