ମୁମ୍ବାଇ,୧ା୬: ଭେଟେରାନ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ରବିବାର ପରଲୋକ ଘଟିଛି। ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ଦେହାନ୍ତର ଖବର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ବହୁ ପ୍ରଶଂସକ, ସେଲିବ୍ରିଟି ଏବଂ ରାଜନେତା ଏହି କିମ୍ବଦନ୍ତୀ ଗାୟିକାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମରାଠୀ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିବା ସୁମନ ୮୫୦ରୁ ଅଧିକ ଫିଲ୍ମରେ କଣ୍ଠଦାନ କରିଛନ୍ତି।
ସୁମନଙ୍କ ଚଳଚ୍ଚିତ୍ର ଜଗତର ଯାତ୍ରା ‘ଶୁକ୍ରାଚୀ ଚାନ୍ଦନୀ’ ଏବଂ ‘ମଙ୍ଗୁ’ (୧୯୫୪) ଭଳି ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିଲା। ସେ ‘ଶରାବି ଶରାବି ୟେ ସାୱନ୍ କା ମୌସମ୍’, ‘ଆଜକଲ୍ ତେରେ ମେରେ ପ୍ୟାର୍ କେ ଚର୍ଚ୍ଚା’, ‘ନା ନା କରତେ ପ୍ୟାର୍’, ‘ନା ତୁମ୍ ହମେ ଜାନୋ’, ‘ପର୍ବତୋଁ କେ ପେଡ୍ରୋନ୍ ପର’ ଏବଂ ‘ନିମ୍ବୋନିଚ୍ୟା ଝଡ଼ା ମାଗେ’ ଭଳି ଅନେକ ଗୀତରେ କଣ୍ଠଦାନ କରିଥିଲେ। ମହମ୍ମଦ ରଫିଙ୍କ ସହିତ ତାଙ୍କର ସହଯୋଗ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଥିଲା।
ଓଡ଼ିଆ ଫିଲ୍ମରେ ବି ଛାପ ଛାଡ଼ିଯାଇଛନ୍ତି ସୁମନ। ‘ଗପ ହେଲେ ବି ସତ’, ‘ଚିଲିକା ତୀରେ’, ‘ସମୟ’ରେ ସେ କଣ୍ଠଦାନ କରିଛନ୍ତି। ଲତା ମଙ୍ଗେସକରଙ୍କ ସ୍ବର ସହ ତାଙ୍କ ସମାନତା ଥିବାରୁ ‘ଅନ୍ୟ ଲତା’ କୁହାଯାଉଥିଲା।