ବରିଷ୍ଠ କଂଗ୍ରେସ ନେତା ଅମୁଲ୍ୟ ସାହୁ BJPରେ ସାମିଲ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କ ଥିଲେ ସହକର୍ମୀ

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ପୂର୍ବତନ କଂଗ୍ରେସ ନେତା ଅମୁଲ୍ୟ ସାହୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ ହୋଇଛନ୍ତି। ଦାରିଙ୍ଗବାଡି ମଣ୍ଡଳ ସଭାପତି ମିଟୁ ସାହୁ, ଭାଜପା ଜିଲ୍ଲା ଉପସଭାପତି ଅଜିତ ସାହୁ, ଜିଲା ସମ୍ପାଦକ ସନ୍ତୋଷ ସାହୁ, ମଣ୍ଡଳ ଉପସଭାପତି ସୁବାଷ ସାହୁ, ଅର୍ଚ୍ଚନା ପ୍ରଧାନ, ରୁଦ୍ରନାରାୟଣ ବେହେରା ଏବଂ ହରେନ ସାହୁ ପ୍ରମୁଖ ତାଙ୍କୁ ଦଳୀୟ ଅଙ୍ଗବସ୍ତ୍ର ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ।

ସାହୁ ଦୀର୍ଘ ବର୍ଷ ଧରି ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ସଂଗଠନକୁ ମଜବୁତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ତତ୍କାଳୀନ କଂଗ୍ରେସ ସରକାରର ଟାଣୁଆ କ୍ୟାବିନେଟ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କର ଜଣେ ବିଶ୍ୱସ୍ତ ସହକର୍ମୀ ଭାବେ ବେଶ୍ ଜଣାଶୁଣା ଥିଲେ। ତେବେ ଗତ ୨୬ ବର୍ଷ ଧରି ସେ ସକ୍ରିୟ ରାଜନୀତିରୁ ଦୂରରେ ରହିଥିଲେ।

ବର୍ତ୍ତମାନ ରାଜ୍ୟରେ ଭାଜପା ସରକାର ଗଠନ ହେବା ପରେ ସେ ପୁଣିଥରେ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନକଲ୍ୟାଣକାରୀ ଶାସନ ନୀତିରେ ଅନୁପ୍ରାଣିତ ହୋଇ ସେ ଭାଜପାରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। ଏହାସହ ଆଗାମୀ ଦିନରେ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ, ସେ ତାହାକୁ ନିଷ୍ଠାର ସହ ପାଳନ କରିବେ ବୋଲି  ସାହୁ କହିଛନ୍ତି।

Dharitri – Odisha’s No.1 Odia Daily

Share