ଡବ୍ଲ୍ୟୁଏସ୍‌ସିରେ ଆରମ୍ଭ ହେବ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେଶନ’ ପାଠ୍ୟକ୍ରମ

ଭୁବନେଶ୍ୱର, ୮।୧୦(ଅସମାପିକା ସାହୁ)ସାରା ବିଶ୍ୱରେ ଏଲିଭେଟର, ଏସ୍କାଲେଟର ଓ ଟ୍ରାଭେଲେଟର ପରି ଆଧୁନିକ ଯନ୍ତ୍ରର ଚାହିଦା ବଢ଼ିବାରେ ଲାଗିଛି। ତା’ ସାଙ୍ଗକୁ ଏ ସବୁର ପରିଚାଳନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ମଧ୍ୟ ବଢୁଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର(ଡବ୍ଲୁୃଏସ୍‌ସି) ପକ୍ଷରୁ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌’ ଉପରେ ଏକ ନୂତନ ତାଲିମ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଫଳରେ ରାଜ୍ୟ ସରକାରଙ୍କ ‘ସ୍କିଲ୍‌ଡ ଇନ୍‌ ଓଡ଼ିଶା’ ପରିକଳ୍ପନା ଅଧୀନରେ ରାଜ୍ୟର ଯୁବବର୍ଗଙ୍କୁ ଏହି ଅତ୍ୟାଧୁନିକ ବିଷୟରେ ତାଲିମ ଦେଇ ସେମାନଙ୍କୁ ବିଶ୍ୱସ୍ତରୀୟ କ୍ୟାରିୟର ଗଢ଼ିବା ଲାଗି ପ୍ରସ୍ତୁତ କରାଯିବ। ୨୦୨୩-୨୪ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଥିବା ଏହି ନୂତନ ପାଠ୍ୟକ୍ରମର ନାମ ରହିଛି ‘ଆଡ୍‌ଭାନ୍ସଡ୍‌ ସାର୍ଟିଫିକେଟ୍‌ ଇନ୍‌ ଫ୍ୟାସିଲିଟି ଟେକ୍ନୋଲୋଜି (ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌)। ସିଙ୍ଗାପୁର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେଶନର (ଆଇଟିଇଇଏସ୍‌) ତତ୍ତ୍ୱାବଧାନରେ ଏହି ପାଠ୍ୟକ୍ରମର ପରିକଳ୍ପନା କରାଯାଇଛି। ଏହି ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ସମ୍ପୃକ୍ତ ବିଷୟରେ ଆବଶ୍ୟକ ବୈଷୟିକ ଶିକ୍ଷା ଓ ତାଲିମ ଦିଆଯିବ। ଫଳରେ ସେମାନେ ଆଧୁନିକ ଲିଫ୍ଟ ଓ ଏସ୍କାଲେଟରର ସ୍ଥାପନା, ତାହାକୁ କାର୍ଯ୍ୟକ୍ଷମ କରିବା, ରକ୍ଷଣାବେକ୍ଷଣ, ମରାମତି ଓ ଯାଞ୍ଚ ଆଦି କାର୍ଯ୍ୟ କରିବାରେ ସକ୍ଷମ ହେବେ। ଏହା ସେମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣୀୟ ନିଯୁକ୍ତିର ସୁଯୋଗ ଆଣିଦେଇପାରିବ। ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ୍‌ ଅଫ୍‌ ଇଞ୍ଜିନିୟରିଂ ବିଭାଗ ଅଧୀନରେ ଥିବା ଏହି ୧ ବର୍ଷିଆ ପାଠ୍ୟକ୍ରମ ପାଇଁ ଆଇଟିଆଇ(୨ବର୍ଷିଆ) କିମ୍ବା ପଲିଟେକ୍‌ନିକ୍‌ରେ ଡିପ୍ଲୋମା କରିଥିବା ଓଡ଼ିଶାର ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ଏଠାରେ ଜୀବନ୍ତ ମଡେଲ ଜରିଆରେ ସିମୁଲେସନ ସହିତ ଭର୍ଟିକାଲ ଟେକ୍ନେଲୋଜିର ବିଭିନ୍ନ ଦିଗ ଉପରେ ଶିକ୍ଷା ଓ ତାଲିମ ଦିଆଯିବ। ଏଥିପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଲ୍ୟାବ୍‌ ପ୍ରତିଷ୍ଠା କରାଯାଇଛି। ଫଳରେ ଏହା ଏସ୍କାଲେଟର, ଏଲିଭେଟର ଏବଂ ଅନୁରୂପ ଯନ୍ତ୍ରର ସ୍ଥାପନା ଓ କାର୍ଯ୍ୟକାରିତା, ପରିଚାଳନା ଓ ରକ୍ଷଣାବେକ୍ଷଣ ଆଦି ବିଷୟରେ ତାଲିମ ଦେବାରେ ବିଶେଷ ସହାୟକ ହେବ।