ଲୋସେଲ୍(କାତାର), ୧୦ା୧୦: ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ ପୁଣି ଫର୍ମୁଲା ଓ୍ବାନ ଚାମ୍ପିୟନ ହୋଇଛନ୍ତି। ରବିବାର ସେ କାତାର ଗ୍ରାଁପ୍ରି ଜିତିଛନ୍ତି। ୨୦୨୩ ସିଜନରେ ଏହା ହେଉଛି ତାଙ୍କର ୧୪ତମ ଗ୍ରାଁପ୍ରି ବିଜୟ। ଶନିବାର ଅନୁଷ୍ଠିତ ସ୍ପ୍ରିଣ୍ଟ ରେସ୍ରେ ସେ ତାଙ୍କର ତୃତୀୟ ଟାଇଟଲ ହାସଲ କରିସାରିଥିଲେ। ରେଡ୍ବୁଲ ଡ୍ରାଇଭର ପୋଲ୍ ପୋଜିଶନରୁ ରେସ୍ ଆରମ୍ଭ କରିଥିଲେ। ପ୍ରଥମ କର୍ନରରେ ମର୍ସିଡିଜ୍ର ଦୁଇ ଡ୍ରାଇଭର ଲୁଇସ୍ ହାମିଲଟନ ଓ ଜର୍ଜ ରସେଲଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଭର୍ଷ୍ଟାପେନ୍ଙ୍କ ପାଇଁ ବିଜୟ ପଥ ସହଜ ହୋଇଯାଇଥିଲା। ମ୍ୟାକଲରେନର ଓସ୍କାର ପିଆଷ୍ଟ୍ରି ଓ ଲାଣ୍ଡୋ ନୋରିସ ଯଥାକ୍ରମେ ପଛକୁ ପଛ ଦ୍ୱିତୀୟ ଓ ତୃତୀୟ ହୋଇଥିଲେ। ଦୁଇ ସପ୍ତାହ ପୂର୍ବେ ଜାପାନିଜ ଗ୍ରାଁପ୍ରିରେ କ୍ୟାରିୟରର ପ୍ରଥମ ପୋଡିୟମ ଫିନିଶ କରିଥିବା ଅଷ୍ଟ୍ରେଲିଆର ସ୍ବଳ୍ପ ବୟସ୍କ ଡ୍ରାଇଭର ପିଆଷ୍ଟ୍ରି ଏଠାରେ ମଧ୍ୟ ଭଲ ପ୍ରଦର୍ଶନ କରାଇଥିଲେ। ଶନିବାର ସେ କାତାର ସ୍ପ୍ରିଣ୍ଟ ରେସ୍ରେ ବିଜୟ ଲାଭ କରିଥିଲେ, ଯେଉଁଥିରେ ଭର୍ଷ୍ଟାପେନ୍ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ମଧ୍ୟ ଚଳିତ ସିଜନର ଟାଇଟଲ ବିଜୟୀ ହୋଇଥିଲେ। ଚଳିତ ସିଜନରେ ଆଉ ଦୁଇଟି ରେସ୍ ୟୁନାଇଟେଡ୍ ଷ୍ଟେଟ୍ସ ଗ୍ରାଁ ପ୍ରି (ଅକ୍ଟୋବର ୨୦-୨୨) ଓ ମେକ୍ସିକାନ ଗ୍ରାଁ ପ୍ରି (ଅକ୍ଟୋବର ୨୭-୨୯) ବାକି ରହିଛି।


