ଭିଇଏମ୍‌ଏସ୍‌ ଅଧ୍ୟକ୍ଷ ଚନ୍ଦ୍ରଶେଖର ପତିଙ୍କ ପରଲୋକ

ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଭେଙ୍କଟେଶ୍ୱର ଇଂଲିଶ ମିଡ଼ିୟମ ସ୍କୁଲ (ଭିଇଏମ୍‌ଏସ) ସମୂହର ଚେୟାରମ୍ୟାନ ଚନ୍ଦ୍ରଶେଖର ପତି (୫୯)ଙ୍କ ଶନିବାର ରାତି ୨ଟାରେ ସ୍ଥାନୀୟ ଆମ୍ରି ହସ୍ପିଟାଲରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ କିଡନୀଜନିତ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ସମୟରେ ପରିବାରର ପ୍ରାୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ମଧ୍ୟରାତ୍ରିରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଭୁବନେଶ୍ୱର ମଧ୍ୟ ଓ ଉତ୍ତର ବିଧାୟକ ତାଙ୍କ ଶେଷ ଦର୍ଶନ କରିଥିଲେ। ରବିବାର ସକାଳୁ ତାଙ୍କ ମରଶରୀରକୁ ମଧୁସୂଦନ ନଗରସ୍ଥିତ ବାସଭବନ ସମେତ ଭୁବନେଶ୍ୱରର ସମସ୍ତ ଭିଇଏମ୍‌ଏସକୁ ନିଆଯାଇଥିଲା। ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ପୁଷ୍ପ ଅର୍ପଣ ପୂର୍ବକ ତାଙ୍କୁ ଶେଷ ବିଦାୟ ଦେଇଥିଲେ। ପରେ ପୁରୀ ସ୍ବର୍ଗଦ୍ୱାରକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ ପୁଅ ପ୍ରିନ୍ସ ମୁଖାଗ୍ନି ଦେଇଥିଲେ। ସେଠାରେ ତାଙ୍କର ଅନ୍ୟ ଦୁଇ ଭାଇ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ସେ ଜଣେ ବିଶିଷ୍ଟ ଶିକ୍ଷାବିତ, ସାମାଜିକକର୍ମୀ ଓ ହୃଦୟବାନ ମଣିଷ ଥିଲେ। ନିଜର ଅକ୍ଳାନ୍ତ ପରିଶ୍ରମ ଓ ଦୃଢ ମନୋବଳ ଯୋଗୁ ଭୁବେନଶ୍ୱରରେ ଅନେକ ଭିଇଏମଏସ ବିଦ୍ୟାଳୟ ସ୍ଥାପନ କରି ଛାତ୍ରୀଛାତ୍ରଙ୍କ ଶିକ୍ଷାଗତ ଉନ୍ନତି ପାଇଁ ଚେଷ୍ଟା କରିଥିଲେ। ସମାଜର ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଛାତ୍ରୀଛାତ୍ରମାନେ କିପରି ଇଂରାଜୀ ମାଧ୍ୟମ ଶିକ୍ଷାଲାଭ କରିବେ ଓ ଜୀବନର ସବୁକ୍ଷେତ୍ରରେ ସଫଳ ହେବେ ତାହା ହିଁ ତାଙ୍କର ମୂଳ ଲକ୍ଷ୍ୟ ଥିଲା। ତାଙ୍କ ପରି ଜଣେ ବିଶିଷ୍ଟ ଶିକ୍ଷାବିତ, ସ୍ନେହୀ ଓ ଆଦର୍ଶବାଦୀ ବ୍ୟକ୍ତିଙ୍କୁ ହରାଇ ଭିଇଏମଏସ ପରିବାରର ଅପୂରଣୀୟ କ୍ଷତି ଘଟିଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।