ବାତ୍ୟା ‘ଅକ୍ୱାନ’ ପାଇଁ ବଡ଼ ନିଷ୍ପତ୍ତି: ଗଞ୍ଜାମରେ ଆସନ୍ତାକାଲି ଗଡ଼ିବନି ବସ୍ କି ଟ୍ରକ୍

ଛତ୍ରପୁର, ୧୯।୧୧ (ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୦ ତାରିଖ (ଶୁକ୍ରବାର) ଦିନ ସମଗ୍ର ଜିଲାରେ ସମସ୍ତ ପ୍ରକାର ଯାତ୍ରୀବାହୀ ଓ ମାଲବାହୀ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।

ପ୍ରଶାସନିକ ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଜିଲାରେ ସମସ୍ତ ଘରୋଇ ବସ୍, ଟ୍ରକ୍, କ୍ରୁଟ୍ (CRUT) ଏବଂ ଓଏସ୍‌ଆର୍‌ଟିସି (OSRTC) ବସ୍ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଆଖି ଆଗରେ ରଖି ଏହି କଟକଣାକୁ ଗୋଟିଏ ଦିନ ପାଇଁ ବଳବତ୍ତର ରଖାଯାଇଛି।

ତେବେ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ବାତ୍ୟା ମୁକାବିଲା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଥା ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ଗାଡ଼ିଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ବାତ୍ୟା ସମୟରେ ଅନାବଶ୍ୟକ ଯାତାୟାତରୁ ଦୂରେଇ ରହିବା ସହ ପ୍ରଶାସନର ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜନସାଧାରଣ ଏବଂ ଯାନବାହନ ମାଲିକମାନଙ୍କୁ ଅନୁରୋଧ କରାଯାଇଛି। ବିପର୍ଯ୍ୟୟ ମୁକାବିଲାରେ ପ୍ରଶାସନକୁ ସହଯୋଗ କରିବା ସହ ସଚେତନ ଓ ସୁରକ୍ଷିତ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Dharitri – Odisha’s No.1 Odia Daily

Share