ସବୁ ଜିଲାରେ ଗାଡ଼ି ପଞ୍ଜୀକରଣ, ବିକ୍ରୟକୁ ଅନୁମତି

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ଲକ୍‌ଡାଉନ୍‌ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି। ସମସ୍ତ ଜିଲାରେ ଅଟୋମୋବାଇଲ୍‌ ଶୋ’ରୁମ୍‌ଗୁଡ଼ିକ ଖୋଲାଯିବା ସହ ନୂତନ ଗାଡ଼ି ପଞ୍ଜୀକରଣ ଓ ବିକ୍ରୟ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ପକ୍ଷରୁ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଛି। ଅଟୋମୋବାଇଲ୍‌ ଡିଲରଗୁଡ଼ିକ ଗୁରୁବାରଠାରୁ ବାହନ ଆପ୍‌ ମାଧ୍ୟମରେ ନୂତନ ଗାଡ଼ି ପଞ୍ଜୀକରଣ କରିପାରିବେ। ଏନେଇ ଅନୁମତି ପ୍ରଦାନ କରିବାକୁ ଏସ୍‌ଟିଏ ପକ୍ଷରୁ ଆର୍‌ଟିଓଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଡିଲରମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ କରୋନା କଟକଣାକୁ ମାନି ଶୋ’ରୁମ୍‌ ଖୋଲିବା ସହ ଗାଡ଼ି ବିକ୍ରୟ କରିପାରିବେ। ସୂଚନାଯୋଗ୍ୟ, ସଂକ୍ରମଣ ହ୍ରାସ ପାଇବା ପରେ ଗତ ୩୧ ତାରିଖରେ ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି ଜିଲାରେ ନୂତନ ଗାଡ଼ି ପଞ୍ଜୀକରଣ ଏବଂ ବିକ୍ରୟ ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା।