‘ୟାସ୍‌’ ପାଇଁ କଟକଣା: ଚଣ୍ଡିଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ

ଯାଜପୁର ଅଫିସ,୨୫।୫: ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ଏବେ ଉପକୂଳମୁହାଁ। ଏହାର ବିଶେଷ ପ୍ରଭାବ ଭଦ୍ରକ ଓ ବାଲେଶ୍ୱରରେ ପଡ଼ିବ। ଏହି ସମୟରେ ପ୍ରବଳ ବର୍ଷା ହେବା ସହ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିମି ବେଗରେ ପବନ ବହିବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ବାତ୍ୟାକୁ ଦୃଷ୍ଟିରେ ରଖି ଯାଜପୁର ଜିଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ଚଣ୍ଡିଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି। ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ମଙ୍ଗଳବାର ରାତି ୧୨ଟାରୁ ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ ବୋଲି କହିଛନ୍ତି। ଏହି ସମୟ ମଧ୍ୟରେ ଚଣ୍ଡିଖୋଲରୁ ବାଲେଶ୍ୱରକୁ କୌଣସି ଗାଡ଼ି ଛଡ଼ାଯିବନାହିଁ। ତେବେ ଜରୁରୀ ସେବା ପ୍ରଦାନକାରୀ ଗାଡ଼ି ବ୍ୟତିତ ଅନ୍ୟ ସମସ୍ତ ଗାଡ଼ିର ଯା’ଆସ ଉପରେ କଟକଣା ଜାରି କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି।