ବଞ୍ଚୋ,୨୨।୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅଧୀନ ଦେଓଗାଁ ଅଞ୍ଚଳରେ ଘଟିଥିବା ଗାଡ଼ି ଅଟକାଇ ମାଡ଼ ମାରିବା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ଅଦାଲତରେ ସମସ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତିନିଜଣଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ଆଜି ଘସିପୁରା ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ଦୀପକ ବଳ ଓରଫ କଟରା (୨୬)ଙ୍କୁ ଗିରଫ କରି ଅଦାଲତରେ ହାଜର କରିଥିଲା। ଅପରପକ୍ଷରେ, ଅନ୍ୟ ଦୁଇ ଅଭିଯୁକ୍ତ ପାପୁ ବଳ ଓରଫ ପ୍ରକାଶ ଏବଂ ବୁଲୁ ବଳ ଓରଫ ପ୍ରଶାନ୍ତ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ଜାମିନ ଆବେଦନ ଖାରଜ ହେବା ପରେ ତିନିଜଣଙ୍କୁ ବିଚାରପତି ଜେଲ୍କୁ ପଠାଇଛନ୍ତି।
ଅଭିଯୋଗକାରିଣୀ ତିନାରାଣୀ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ୩୧ ତାରିଖରେ ଅଭିଯୁକ୍ତମାନେ ଆହତ ବିଟାନ ଦାସ (ଓରଫ ବିଶ୍ୱଜିତ) ଏବଂ ପିନୁ ଦାସ (ଓରଫ ସନ୍ତୋଷ)ଙ୍କ ଗାଡ଼ିକୁ ଅଟକାଇ ସେମାନଙ୍କୁ ସଂଘବଦ୍ଧ ଭାବେ ମାଡ଼ ମାରିଥିଲେ। ଏନେଇ ଘସିପୁରା ଥାନାରେ କେସ୍ ନଂ-୫୧ (ତା ୩୧.୦୧.୨୦୨୫) ଅନୁସାରେ ବିଏନ୍ଏସ୍ (BNS)ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା।
ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ପୁଲିସ ସୁଶାନ୍ତ ବଳ (ଓରଫ ତୁଲିଆ)ଙ୍କୁ ଗିରଫ କରି ଜେଲ୍ ପଠାଇସାରିଥିବା ବେଳେ ଟିକି (ଓରଫ ପାର୍ବତୀ ବଳ) ଅଦାଲତରେ ଆତ୍ମସମର୍ପଣ କରିଥିଲେ।