ନୂଆବର୍ଷରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ବେପରୁଆ ଗାଡ଼ି ଚାଳକ ସାବଧାନ। ଏଣିକି ନିୟମ ଉଲ୍ଲଂଘନ କଲେ ଆଉ ନିସ୍ତାର ନାହିଁ। ଆସନ୍ତା ଜାନୁୟାରୀରୁ ରାଜ୍ୟରେ ଗାଡ଼ି ଯାଞ୍ଚକୁ ଜୋରଦାର କରାଯିବ। ନିୟମ ନ ମାନିଲେ ତଣ୍ଡ ଗଣିବାକୁ ପଡ଼ିବ। ହେଲମେଟ୍‌, ସିଟ୍‌ ବେଲ୍ଟ ଓ ପରିବହନ ଆଇନକୁ କଡ଼ାକଡ଼ି ଲାଗୁ କରାଯିବ ବୋଲି ରବିବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଦ୍ରୁତ ବେଗରେ ଗାଡ଼ି ଚଲାଇଲେ, ମଦ୍ୟ ପାନ କରି ଗାଡ଼ି ଚାଳନା କଲେ, ଗାଡ଼ି ଚଲାଇବାବେଳେ ମୋବାଇଲରେ କଥା ହେଉଥିଲେ, ଦୁଇ ଚକିଆ ଯାନରେ ବିନା ହେଲ୍‌ମେଟ୍‌ରେ ଯାଉଥିଲେ, ଟ୍ରାଫିକ୍‌ରେ ରେଡ୍‌ ଲାଇଟ୍‌ ଅତିକ୍ରମ କଲେ, ମାଲ୍‌ବାହୀ ଗାଡ଼ିରେ ଯାତ୍ରୀ ବୁହା ହେଲେ ତିନି ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଟୁଇଟ୍‌ କରି ସୂଚନା ଦେଇଥିବାବେଳେ ମନ୍ତ୍ରୀ କହିଛନ୍ତି ଯେ, ନୂଆବର୍ଷରୁ ନୂଆ ନିୟମ ଲାଗୁ ହେବ। ବର୍ତ୍ତମାନ ଯାଞ୍ଚ ସହ ଲୋକଙ୍କୁ ସଚେତନ କରାଯାଉଛି। ୨୦୧୯ରୁ କେନ୍ଦ୍ର ସରକାର ଏହି ଆଇନ ଆଣିଛନ୍ତି। କରୋନା ପାଇଁ ଏହାକୁ କୋହଳ କରାଯାଇଥିଲା। ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଦୁର୍ଘଟଣା ସହ ଏଥିଜନିତ ମୃତ୍ୟୁ ବଢ଼ୁଛି। ଏହାକୁ ହ୍ରାସ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ନୂଆ ନୂଆ ଆଇନ ଲାଗୁ କରୁଛନ୍ତି। ସଡ଼କ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଥିଲେ ମଧ୍ୟ ଅମାନିଆଙ୍କ ପାଇଁ ସେତେଟା ସୁଫଳ ମିଳୁନି। ତେଣୁ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପରିବହନ ବିଭାଗ ଏଣିକି କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ଦୁଇଚକିଆ ଯାନ ଚଳାଉଥିବା ଓ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ୍‌ ବାଧ୍ୟତାମୂଳକ କରାଯାଇଛି। ଶନିବାର ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଥିବାବେଳେ ଏହାସହ ସମସ୍ତ ନିୟମକୁ ଜାନୁୟାରୀରୁ କଡ଼ାକଡ଼ି ଲାଗୁ କରାଯିବ ବୋଲି କୁହାଯାଇଛି।