ପରିବା ବିକୁଛନ୍ତି ପାଲାଗାୟକ

ଖୋର୍ଦ୍ଧା ଅଫିସ,୧୧।୮: କରୋନା ମହାମାରୀ ଲୋକଙ୍କ ଜୀବନ ନେବା ସହ ଜୀବିକା ବଦଳାଇ ଦେଇଛି। ପରିବାର ପ୍ରତିପୋଷଣ ପାଇଁ ଶେଷରେ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗଁପୁର ଗ୍ରାମର ପ୍ରସିଦ୍ଧ ପାଲା ଗାୟକ ଗଗନ ବିହାରୀ ମହାପାତ୍ର। ସୂଚନା ମୁତାବକ, ଓଡ଼ିଶାର ପ୍ରସିଦ୍ଧ ପାଲା ଗାୟକଭାବେ ଗଗନଙ୍କ ନଁା ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାରପ୍ରସାର ତଥା ଭାଷା ସାହିତ୍ୟ ସଂସ୍କୃତିକୁ ଗାନ କରି ଲୋକଙ୍କୁ ସେ ବିମୁଗ୍ଧ କରିଥାନ୍ତି। ଭୁବନେଶ୍ୱର, କଟକ, ସମେତ ବିଭିନ୍ନ ଜିଲାରେ ନିଜ କଳା ପ୍ରଦର୍ଶନ କରି ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି। କରୋନା ଯୋଗୁ ମାର୍ଚ୍ଚ ୨୨ରୁ ତାଙ୍କ ପାଖରେ କୌଣସି କାମ ନାହିଁ। ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡିଲା। ଘରେ ବସିବା ଅପେକ୍ଷା ବେପାର କରି ଘର ଚଳାଇବା ପାଇଁ ଗଗନ ମନସ୍ଥ କଲେ। ଏହା ପରେ ସେ ରାସ୍ତା ପାର୍ଶ୍ୱରେ ଆଳୁ, ପିଆଜ, ପରିବା ବିକ୍ରି କରିଥିଲେ। ଅଧିକ ରୋଜଗାର ନ ଥିଲେ ମଧ୍ୟ ଆତ୍ମସନ୍ତୋଷ ମିଳୁଛି ବୋଲି ଗଗନ କହିଛନ୍ତି।
ଏ ସମ୍ପର୍କରେ ଐତିହ୍ୟ ବିଷାରଦ ଡ.ସୁରେନ୍ଦ୍ର ମିଶ୍ର କହିଛନ୍ତି, ପାଲା ହେଉଛି ଓଡ଼ିଆ ଜାତିର ଅସ୍ମିତା। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରାର ଝଲକ ଦେଖିବାକୁ ମିଳେ। ଏହାକୁ ଉଜ୍ଜୀବିତ କରିବା ଲାଗି ସରକାରୀ ସ୍ତରରେ ଉଦ୍ୟମ ହେବା ଦରକାର। ବୁଦ୍ଧିଜୀବୀ ନବ କିଶୋର ଖୁଣ୍ଟିଆ କହିଛନ୍ତି, ଗଗନ ଜଣେ ଉଚ୍ଚକୋଟୀର ପାଲା ଗାୟକ। ସରପଞ୍ଚ ସରୋଜିନୀ ଖଣ୍ଟିଆ କହିଛନ୍ତି, କଳା ଓ ସଂସ୍କୃତି ଆମ ପରିଚୟ। ଗଗନ ଜଣେ ପ୍ରସିଦ୍ଧ ପାଲା ଗାୟକ। ଲକ୍‌ଡାଉନ ସମୟରେ ସେ ଘରେ ବସି ରହିବା ଅପେକ୍ଷା ଆଳୁ, ପିଆଜ ବିକ୍ରି କରି ପରିବାର ପୋଷଣ କରୁଛନ୍ତି। ସରକାର କଳାକାରଙ୍କ ଜୀବନ ଜୀବିକା ପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି।