ଶାଗ ୩୦ ପଇସାରୁ ୧୦ ଟଙ୍କା

ଦାରିଙ୍ଗବାଡି,୨୧ା୧୨(ଅରୁଣ ସାହୁ)ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମୁଖ୍ୟ ଚାଷ ହଳଦୀରୁ ଚାଷୀ ମୁହଁ ଫେରାଇ ନେଲେଣି। ଉଦ୍ୟାନ ଚାଷ କରି ଏବେ ଚାଷୀ ଲାଭବାନ ହେଉଥିବା ବେଳେ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି। ଏଭଳି ଜଣେ ଉଦ୍ୟାନ ଚାଷରେ କେବଳ ଶାଗ ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ମହୁ, ଦେଶୀ କୁକୁଡ଼ା ପାଳନ ସହ ଗୋପାଳନ, ଛେଳି ଆଦି ଚାଷ କରି ପରିବାର ପ୍ରତିପୋଷଣ କରିବା ସହ ଝିଅକୁ ଆଇନ ପାଠ ପଢ଼ାଉଥିବା ବେଳେ ପୁଅ ବିଜ୍ଞାନରେ ଡିଗ୍ରୀ କରୁଛନ୍ତି। ଏଭଳି ଜଣେ ସଫଳ ଚାଷୀ ହେଉଛନ୍ତି ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଉକ୍ତ ବ୍ଲକ ସାନିକେତା ପଞ୍ଚାୟତ ସୁଗାନକେତା ଗ୍ରାମର ଯୁଧିଷ୍ଠିର ପ୍ରଧାନ। ସେ ଗତ ୧୫ବର୍ଷ ଧରି ଅଦା, ହଳଦୀ ଚାଷ ଛାଡି ଶାଗ ଚାଷ କରି ସଫଳତା ପାଇଛନ୍ତି। ଶାଗ ବିଡା ୩୦ ପଇସାରୁ ବିକ୍ରି ଆରମ୍ଭ କରିଥିବା ଯୁଧିଷ୍ଠିର ଏବେ ଶାଗ ବିଡ଼ାକୁ ୧୦ ଟଙ୍କାରେ ବିକ୍ରି କରୁଛନ୍ତି। ଜୈବିକ ପଦ୍ଧତିରେ ଏହି ଚାଷ କରୁଥିବା ବେଳେ ଗୋପାଳନ କରୁଥିବାରୁ ଯେଉଁ ଗୋବର ଖତ ସଂଗ୍ରହ କରନ୍ତି ତାକୁ ସେ ଚାଷରେ ବ୍ୟବହାର କରି ଯଥେଷ୍ଟ ଶାଗ ଅମଳ କରୁଥିବା କହିଛନ୍ତି। ଗତ ୧୫ବର୍ଷ ପୂର୍ବରୁ ପାରମ୍ପରିକ ହଳଦୀ, ଅଦା, କାନ୍ଦୁଲ, ବିରି, ମୁଗ ଆଦି ଚାଷ କରୁଥିଲେ ହେଲେ ଯେତିକି ଚାଷରେ ସେ ଖର୍ଚ୍ଚ କରୁଥିଲେ ତାହାଠାରୁ ଯଥେଷ୍ଟ କମ୍‌ ଅମଳ ହେଉଥିଲା ଫଳରେ ସେ ସାହୁକାରଠାରୁ ଆଣୁଥିବା ଋଣ ଶୁଝି ପାରୁ ନ ଥିଲେ, ପରିବାର ଚଳାଇବା ମୁସ୍କିଲ ହୋଇପଡ଼ିଥିଲା। ଫଳରେ ଯୁଧିଷ୍ଠିର ଏବଂ ତାଙ୍କ ବାପା ଏବେ ଶାଗ ଚାଷ ଆରମ୍ଭ କରିଥିଲେ । ପ୍ରଥମେ ସେ ନିଜ ଗାଁରେ ଶାଗ ବିକ୍ରି ଆରମ୍ଭ କରିଥିଲେ ସେହି ସମୟରେ ମାତ୍ର ୩୦ ପଇସାରେ ଶାଗ ବିଡ଼ା ବିକ୍ରି କରୁଥିଲେ ସେତିକିରେ ମଧ୍ୟ ପରିବାର ଚଳିବା କଷ୍ଟ ଥିଲା। ଫଳରେ ସେ ଏହି ଚାଷକୁ ବୃଦ୍ଧି କଲେ ପରିବାରରେ ଯୁଧିଷ୍ଠିରଙ୍କ ବାପା, ମା ଓ ସାନ ଭାଇ ସହଯୋଗ କଲେ । ଏବେ ସେ ଏହି ଚାଷରେ ବଡ଼ ସଫଳତା ପାଇଛନ୍ତି। ସେ କୁହନ୍ତି ମାତ୍ର ଏକ ମାସରେ ଶାଗ ଅମଳ ହେଉଥିବାରୁ ଏହି ଚାଷ ତାଙ୍କୁ ଫାଇଦା ଦେଇଛି । ଅନ୍ୟ ପକ୍ଷରେ ସେ ଜୈବିକ ପଦ୍ଧତିରେ ଏହି ଚାଷ କରୁଥିବାରୁ ଗ୍ରାହକମାନେ ତାଙ୍କ ଶାଗକୁ ଅପେକ୍ଷା କରି ରହିଥାନ୍ତି ଓ କିଛି ଗ୍ରାହକ ତାଙ୍କ ଘର ନିକଟରେ ପହଞ୍ଚିଥାନ୍ତି ବୋଲି ସେ କହିଛନ୍ତି।