ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ ସିଧାସଳଖ ଭାବେ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ପଡ଼ିଛି। ପ୍ରାୟ ସମସ୍ତ ପ୍ରକାର ପନିପରିବାର ଦର ବୃଦ୍ଧି ପାଇଥିବାରୁ ଗୃହିଣୀମାନେ ଚିନ୍ତାରେ ପଡ଼ିଛନ୍ତି।

ଲାଞ୍ଜିଗଡ ଅଞ୍ଚଳରେ ପନିପରିବା ଚାଷ ସୀମିତ ପରିମାଣରେ ହେଉଥିବାରୁ ସ୍ଥାନୀୟ ବ୍ୟବସାୟୀମାନେ ବାହାର ବଜାର ଉପରେ ନିର୍ଭର କରୁଛନ୍ତି। ଭବାନୀପାଟଣା ଓ ମୁନିଗୁଡ଼ାର ବ୍ୟବସାୟୀମାନେ ରାୟପୁରରୁ ବିଭିନ୍ନ ପନିପରିବା ଆଣି ଲାଞ୍ଜିଗଡରେ ଯୋଗାଣ କରୁଥିବାରୁ ପରିବହନ ଖର୍ଚ୍ଚ ବୃଦ୍ଧି ସହ ବର୍ଷା ଋତୁରେ ଦର ମଧ୍ୟ ବଢ଼ିଛି।

ଲାଞ୍ଜିଗଡ ସହରର ଜଗନ୍ନାଥ ମନ୍ଦିର ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟବସାୟୀମାନେ ଖରା ଓ ବର୍ଷାକୁ ଖାତିର ନକରି ପନିପରିବା ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ତେବେ ଉଚ୍ଚ ଦର ଯୋଗୁ ବିକ୍ରି ଆଶାନୁରୂପ ହେଉନଥିବା ବ୍ୟବସାୟୀମାନେ କହୁଛନ୍ତି।

ବର୍ତ୍ତମାନ ବଜାରରେ ଫୁଲକୋବି କିଲୋ ପ୍ରତି ୧୦୦ ଟଙ୍କା, କାଙ୍କଡ଼ ୮୦ ଟଙ୍କା, ପୋଟଳ ୮୦ ଟଙ୍କା, ବନ୍ଧାକୋବି ୬୦ ଟଙ୍କା, ଗାଜର ୮୦ ଟଙ୍କା, କାକୁଡ଼ି ୬୦ ଟଙ୍କା, ବାଇଗଣ ୬୦ ଟଙ୍କା, ଟମାଟୋ ୪୦ ଟଙ୍କା, କଲରା ୬୦ ଟଙ୍କା, ଭେଣ୍ଡି ୪୦ ଟଙ୍କା, କଞ୍ଚାଲଙ୍କା ୧୨୦ରୁ ୧୪୦ ଟଙ୍କା, ପିଆଜ ୪୦ ଟଙ୍କା, ଆଳୁ ୨୦ ଟଙ୍କା ଏବଂ ଧନିଆପତ୍ର କିଲୋ ପ୍ରତି ୨୫୦ ଟଙ୍କା ଦରରେ ବିକ୍ରି ହେଉଛି।

ସ୍ଥାନୀୟ ଅଞ୍ଚଳରେ ପନିପରିବା ଉତ୍ପାଦନ କମ୍ ଥିବାରୁ ଅନ୍ୟ ରାଜ୍ୟରୁ ପନିପରିବା ଆଣିବାକୁ ପଡ଼ୁଛି। ଏହାର ପ୍ରଭାବରେ ବଜାରରେ ଦର ଚଢ଼ା ରହିଛି। ସେହିପରି ଫଳମୂଳର ଦର ମଧ୍ୟ ବୃଦ୍ଧି ପାଇଛି। ଡାଳିମ୍ବ ଓ ସେଓ କିଲୋ ପ୍ରତି ପ୍ରାୟ ୩୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କଦଳୀ ସମେତ ଅନ୍ୟାନ୍ୟ ଫଳର ଦାମ ମଧ୍ୟ ବେଶ୍‌ ଚଢ଼ା ରହିଛି।

ଆଗକୁ ଶ୍ରାବଣ ମାସରେ ଚାହିଦା ବଢ଼ିବା ସହ ପନିପରିବାର ଦର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ସାଧାରଣ ଉପଭୋକ୍ତାଙ୍କ ଚିନ୍ତା ବଢ଼ିଛି।

Dharitri – Odisha’s No.1 Odia Daily

Share