ବେଦାନ୍ତ ଦର୍ଶନ

ଡା. ଗୋପାଳ ଚନ୍ଦ୍ର ଦାଶ

ଷଟ୍‌ ଦର୍ଶନ ମଧ୍ୟରେ ବେଦାନ୍ତ ହେଉଛି ଅନ୍ତିମ ଦର୍ଶନ। ଏହା ଉପନିଷଦ୍‌ ତତ୍ତ୍ୱ ଉପରେ ଆଧାରିତ। ବ୍ରହ୍ମ ସାକ୍ଷାତ୍‌କାର ଏହି ଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ। ମହର୍ଷି ବ୍ୟାସଦେବ ଏହାର ରଚୟିତା। ଏହାକୁ ବ୍ରହ୍ମସୂତ୍ର କୁହାଯାଏ। ଏହି ଦର୍ଶନର ଅନ୍ୟନାମ ଉତ୍ତର ମୀମାଂସା। ମହର୍ଷି ଜୈମନୀଙ୍କ ରଚିତ ପୂର୍ବ ମୀମାଂସା କର୍ମପ୍ରଧାନ ଗ୍ରନ୍ଥ ହୋଇଥିବା ବେଳେ ବ୍ୟାସଦେବଙ୍କ ରଚିତ ଉତ୍ତର ମୀମାଂସା ଏକ ଜ୍ଞାନ ପ୍ରଧାନ ଦର୍ଶନ। ଏହି ଦର୍ଶନରେ ଆତ୍ମା ଓ ପରମାତ୍ମା ସମ୍ବନ୍ଧରେ ବିଶେଷ ଆଲୋଚନା କରାଯାଇଛି। ବ୍ୟାସଦେବଙ୍କ ଅନ୍ୟ ନାମ ବଦରାୟଣ ହୋଇଥିବାରୁ ଏହାକୁ ମଧ୍ୟ ବଦରାୟଣ ସୂତ୍ର କୁହାଯାଏ। ଶରୀରରେ ଥିବା ଆତ୍ମା ଓ ପରମାତ୍ମାର ସମ୍ପର୍କ ସମ୍ବନ୍ଧରେ ଏହି ଦର୍ଶନରେ ବର୍ଣ୍ଣନା କରାଯାଇଥିବାରୁ ଏହାକୁ ଶାରୀରିକ ସୂତ୍ର ମଧ୍ୟ କୁହାଯାଏ। ମହର୍ଷି ବ୍ୟାସ ଉପନିଷଦଗୁଡ଼ିକର ନିହିତ ଚିନ୍ତାଧାରାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ତାଙ୍କ ରଚିତ ବ୍ରହ୍ମସୂତ୍ର ଗ୍ରନ୍ଥରେ ପ୍ରତିପାଦନ କରିଛନ୍ତି। ପ୍ରଥମ ସୂତ୍ରରେ କୁହାଯାଇଛି- ‘ଅଥତୋ ବ୍ରହ୍ମ ଜିଜ୍ଞାସା’। ଯାହାର ଗୂଢ଼ ଅର୍ଥ ହେଉଛି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ଜାଣିବା। ବ୍ରହ୍ମସୂତ୍ରର ରଚନା କାଳ ସମ୍ବନ୍ଧରେ ବିଭିନ୍ନ ମତ ଥିଲେ ମଧ୍ୟ ଏହି ସୂତ୍ରଶାସ୍ତ୍ର ମହାଭାରତ ଯୁଦ୍ଧ କାଳରେ ଆନୁମାନିକ ପାଞ୍ଚ ହଜାର ବର୍ଷ ପୂର୍ବେ ଦ୍ୱାପର ଯୁଗରେ ରଚିତ ହୋଇଥିଲା ବୋଲି ପ୍ରମାଣ ମିଳିଥାଏ। ବୋଧୟନ, ଉପବର୍ଷ, ବ୍ରହ୍ମାନନ୍ଦି, ବ୍ରହ୍ମଦତ୍ତ, ଭୃର୍ତ୍ତହରି, ଭାରୁଣି, ଶଙ୍କର, ରାମାନୂଜ, ମାଧବ, ବଲ୍ଲଭ ଓ ନିମ୍ବାର୍କ ଆଦି ଆଚାର୍ଯ୍ୟମାନେ ବେଦାନ୍ତ ଦର୍ଶନର ଭାଷ୍ୟ ନିଜ ନିଜ ମତ୍ତ ଅନୁସାରେ କରିଛନ୍ତି। ଭାଷ୍ୟଗୁଡ଼ିକ ପରସ୍ପର ମଧ୍ୟରେ ବିରୋଧାଭାବ ପ୍ରଦର୍ଶନ କରୁଥିଲେ ମଧ୍ୟ ସମସ୍ତଙ୍କର ମୂଳ ଲକ୍ଷ୍ୟ ଈଶ୍ୱର ସାକ୍ଷାତ୍‌କାର।
ବ୍ୟାସଦେବଙ୍କ ରଚିତ ବେଦାନ୍ତ ସୂତ୍ର ୪ ଗୋଟି ଅଧ୍ୟାୟରେ ବିଭକ୍ତ ଓ ପ୍ରତି ଅଧ୍ୟାୟ ଚାରି ପାଦ ବିଶିଷ୍ଟ। ଏହି ଦର୍ଶନର ସୂତ୍ର ସଂଖ୍ୟା ୫୫୫। ପ୍ରଥମ ଅଧ୍ୟାୟରେ ବ୍ରହ୍ମ ସମ୍ବନ୍ଧରେ ଜିଜ୍ଞାସା, ବ୍ରହ୍ମଙ୍କ ସ୍ବରୂପ, ବ୍ରହ୍ମ ଜଗତର ଉତ୍ପତ୍ତି, ସ୍ଥିତି ଓ ପ୍ରଳୟକର୍ତ୍ତା ତଥା ଏହା ଜୀବ ଓ ପ୍ରକୃତିଠାରୁ ପୃଥକ୍‌ ବୋଲି ବର୍ଣ୍ଣନା କରାଯାଇଛି। ବ୍ରହ୍ମ (ଈଶ୍ୱର), ଜୀବ ଓ ପ୍ରକୃତି ଯାହା ସୃଷ୍ଟି ଜଗତର ଅନାଦି ତତ୍ତ୍ୱ ତାହା ବେଦାଦି ଶାସ୍ତ୍ରସମ୍ମତ ବୋଲି ତର୍କ ଓ ପ୍ରମାଣର ସହିତ ଦର୍ଶାଯାଇଛି। ସୂତ୍ରକାର ଈଶ୍ୱର ଜୀବ ଓ ପ୍ରକୃତି ମଧ୍ୟରେ ପାର୍ଥକ୍ୟ ଦର୍ଶାଇ କହିଛନ୍ତି, ଅସ୍ତିତ୍ୱ ଥିବାରୁ ପ୍ରକୃତି ସତ୍‌, ଅସ୍ତିତ୍ୱ ଓ ଚେତନ ସତ୍ତା ଥିବାରୁ ଜୀବ ସତ୍‌ ଓ ଚିତ ଏବଂ ଅସ୍ତିତ୍ୱ, ଚେତନ ଓ ଆନନ୍ଦମୟ ହୋଇଥିବାରୁ ବ୍ରହ୍ମ ସଚ୍ଚିଦାନନ୍ଦ (ସତ୍‌+ଚିତ୍‌+ଆନନ୍ଦ)। ବ୍ରହ୍ମ ଓ ଜୀବ ମଧ୍ୟରେ ପ୍ରଭେଦ ଦର୍ଶାଇ ସୂତ୍ରକାର କହିଛନ୍ତି, ଈଶ୍ୱର ସର୍ବଜ୍ଞ, ସର୍ବଶକ୍ତିମାନ, ସର୍ବବ୍ୟାପକ ଓ ଆନନ୍ଦମୟ। ମାତ୍ର ଜୀବ ଅନଜ୍ଞ, ଅଳ୍ପଶକ୍ତିମାନ ତଥା ସର୍ବବ୍ୟାପକ ଓ ଆନନ୍ଦମୟ ନୁହନ୍ତି। ଜୀବାତ୍ମା ସୂକ୍ଷ୍ମ, ସୀମିତ ଓ ଚେତନ ଅଣୁରୂପେ ବିଶ୍ୱ ବ୍ରହ୍ମାଣ୍ଡରେ ବିଦ୍ୟମାନ। ଜୀବାତ୍ମା ଭୋକ୍ତା ଓ ପରମାତ୍ମା ସାକ୍ଷୀ ଭାବରେ ପ୍ରକୃତିରେ ବିଦ୍ୟମାନ। ଆନନ୍ଦ ପ୍ରାପ୍ତି ପାଇଁ ଜୀବାତ୍ମା ପରମାତ୍ମାଙ୍କର ଉପାସନା କରିଥାଏ। ଜୀବ ଓ ବ୍ରହ୍ମ ପରସ୍ପରଠାରୁ ପୃଥକ୍‌ ହେବାପରି ସତ୍ତ୍ୱ, ରଜ ଓ ତମ ଆଦି ତିନି ଗୁଣ ବା ଉପାଦନରେ ଗଠିତ ଜଡ଼ ପ୍ରକୃତି ମଧ୍ୟ ବ୍ରହ୍ମଙ୍କଠାରୁ ଭିନ୍ନ। ଜଡ଼ ପ୍ରକୃତି ଆପେ ପରିବର୍ତ୍ତନ ହୋଇ ଜଗତର ରୂପ ଧାରଣ କରି ନ ଥାଏ। ଏହାକୁ ପରିବର୍ତ୍ତନ କରିଥାଆନ୍ତି ସ୍ବୟଂ ପରମେଶ୍ୱର। ତେଣୁ ବ୍ରହ୍ମ ଜଗତର ନିମିତ୍ତ କାରଣ ଓ ପ୍ରକୃତି ଜଗତର ଉପାଦାନ କାରଣ। ସୃଷ୍ଟିର ପ୍ରାରମ୍ଭରେ ସଂସାରରେ ବିଦ୍ୟମାନ ପଦାର୍ଥଗୁଡ଼ିକର ଉପଯୋଗ ପାଇଁ ପରମେଶ୍ୱର ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି, ତାହାକୁ ବେଦଜ୍ଞାନ କୁହାଯାଏ। ବେଦ ଈଶ୍ୱରୀୟ ଜ୍ଞାନ ହୋଇଥିବାରୁ ଏହା ନିତ୍ୟ ଓ ଏଥିରେ ବିରୋଧାଭାସ ନ ଥାଏ। ଏହି ଅଧ୍ୟାୟରେ ବ୍ରହ୍ମଙ୍କୁ ପ୍ରାଣ, ଜ୍ୟୋତି ଓ ଆକାଶ ଆଦି ବିଭିନ୍ନ ନାମରେ ସମ୍ବୋଧନ କରାଯାଇଛି ଏବଂ ବ୍ରହ୍ମଙ୍କୁ ଜୀବ ଓ ଜଗତର କଲ୍ୟାଣକାରୀ ଭାବରେ ପ୍ରତିପାଦନ କରାଯାଇଛି।
ଦ୍ୱିତୀୟ ଅଧ୍ୟାୟରେ ବ୍ରହ୍ମ ସମଗ୍ର ବିଶ୍ୱର କାରଣ ତଥା ତାଙ୍କର ନିରାକାର ସ୍ବରୂପ ସମ୍ବନ୍ଧରେ ବର୍ଣ୍ଣନା କରାଯିବା ସହିତ ଈଶ୍ୱର, ଜୀବ ଓ ପ୍ରକୃତି ସମ୍ବନ୍ଧରେ ବିଭିନ୍ନ ଶଙ୍କାଗୁଡ଼ିକର ସମାଧାନ କରାଯାଇଛି। ସୂତ୍ରକାର କହିଛନ୍ତି ଯେ ଶୃତି ଓ ସ୍ମୃତି ଶାସ୍ତ୍ରରେ ବ୍ରହ୍ମ ସମ୍ବନ୍ଧରେ ଯାହା ବ୍ୟାଖ୍ୟା କରାଯାଇଛି ସେଗୁଡ଼ିକ ପରସ୍ପର ବିରୋଧୀ ନୁହନ୍ତି ବରଂ ଶାସ୍ତ୍ରଗୁଡ଼ିକ ମଧ୍ୟରେ ସମତା ଦୃଷ୍ଟିଗୋଚର ହୋଇଥାଏ। ଉଦାହରଣ ସ୍ବରୂପ ବିଭିନ୍ନ ତର୍କଶାସ୍ତ୍ରରେ ଉପଯୁକ୍ତ ପ୍ରମାଣ ଅଭାବରୁ ଈଶ୍ୱର ଜଗତର ଉପାଦାନ କାରଣ ନୁହନ୍ତି ବୋଲି ବର୍ଣ୍ଣନା କରାଯାଇଛି। ବ୍ରହ୍ମ ଚେତନ ସତ୍ତା ହୋଇଥିବାରୁ ସମସ୍ତ ଜଗତର ନିମିତ୍ତ କାରଣ ଅଟନ୍ତି। କାରଣ ଚେତନ ସତ୍ତା ବିନା ବିରାଟ ସୃଷ୍ଟିର ରଚନା ଅସମ୍ଭବ।
ତୃତୀୟ ଅଧ୍ୟାୟରେ ପରମାତ୍ମାଙ୍କ ଉପାସନା, ଉପାସନାର ବିଧି, ଉପାସନାର ଫଳ ତଥା ବ୍ରହ୍ମଜ୍ଞାନ ପ୍ରାପ୍ତିର ଉପାୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଏହି ଅଧ୍ୟାୟକୁ ସାଧନା ବା ଉପାସନା ଅଧ୍ୟାୟ କୁହାଯାଏ। ଶୁଭ ଓ ଅଶୁଭ କର୍ମ ଅନୁସାରେ ଜୀବାତ୍ମାର କର୍ମଫଳ ଭୋଗ, କର୍ମଫଳ ଅନୁସାରେ ଜୀବାତ୍ମାର ବିଭିନ୍ନ ଯୋନିରେ ଜନ୍ମ, ଜୀବାତ୍ମାର ବିଭିନ୍ନ ଶରୀର (ସ୍ଥୂଳ, ସୂକ୍ଷ୍ମ, କାରଣ), ବିଭିନ୍ନ ଅବସ୍ଥା (ଜାଗ୍ରତ, ସ୍ବପ୍ନ, ସୁଷୁପ୍ତି) ଓ ମୁକ୍ତିର ବିଭିନ୍ନ ମାର୍ଗ (ଦେବଯାନ, ପିତୃଯାନ) ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି।
ଚତୁର୍ଥ ଅଧ୍ୟାୟରେ ଉପାସ୍ୟ ବ୍ରହ୍ମ ଜୀବାତ୍ମାର ଆବାଗମନ (ଜନ୍ମ ମୃତ୍ୟୁ) ଓ ମୋକ୍ଷ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ବ୍ରହ୍ମଜ୍ଞାନ ପ୍ରାପ୍ତି ପାଇଁ ଶ୍ରବଣ-ମନନ-ନିଦିଧ୍ୟାସନ ଆଦି ସାଧନାର ମାର୍ଗ ଉପରେ ଗୁରୁତ୍ୱାରୋପ କରାଯାଇଛି। ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ବ୍ରହ୍ମଜ୍ଞାନ ସାଧନା କଲେ ସାଧକ ବ୍ରହ୍ମ ସ୍ବରୂପ ଜାଣିବାରେ ସଫଳ ହୋଇଥାଏ। ତେଣୁ ବ୍ରହ୍ମଜ୍ଞାନ ପ୍ରାପ୍ତି ପାଇଁ ନିରନ୍ତର ପ୍ରୟାସ ଜାରିରଖିବା ଲାଗି ଉପଦେଶ ଦିଆଯାଇଛି। ଧ୍ୟାନର ପ୍ରକାର, ସମୟ, ଧ୍ୟାନ ବିଷୟ ବ୍ରହ୍ମ, ମନ ଓ ପ୍ରାଣର ଲକ୍ଷ୍ୟ, ସଞ୍ଚିତ ଓ ପ୍ରାରବ୍ଧ କର୍ମ, ସୂକ୍ଷ୍ମ ଶରୀର, ମୁକ୍ତାବସ୍ଥା, ମୁକ୍ତାବସ୍ଥାର ଜୀବାତ୍ମା, ମୁକ୍ତିରେ ଆନନ୍ଦଭୋଗ ଓ ବ୍ରହ୍ମଙ୍କର ଅନେକ ସାମର୍ଥ୍ୟ ବିଷୟରେ ଆଲୋଚନା କରାଯାଇଛି।
ବେଦାନ୍ତ ଦର୍ଶନରେ ବ୍ରହ୍ମଙ୍କ ଜିଜ୍ଞାସା, ବ୍ରହ୍ମଙ୍କ ସ୍ବରୂପ, ବ୍ରହ୍ମଙ୍କ ଉପାସନା ଓ ବ୍ରହ୍ମ ଉପାସନାର ଫଳ ସମ୍ବନ୍ଧରେ ଶୃତି ଶାସ୍ତ୍ର ଆଧାରରେ ବର୍ଣ୍ଣନା କରାଯାଇଛି। ବିଶେଷଜ୍ଞଙ୍କ ମତରେ ସୂତ୍ର ଶାସ୍ତ୍ରରେ ବ୍ୟବହୃତ ହେଉଥିବା ସୂତ୍ରଗୁଡ଼ିକ ସଂକ୍ଷିପ୍ତ, ଦୁଇଅର୍ଥ ବିହୀନ, ଆଲୋଚ୍ୟ ବିଷୟର ସାରାଂଶ ଦ୍ୟୋତକ ଏବଂ ଶଙ୍କା ସମାଧାନ ପରକ, ପୁନରୁକ୍ତି ବର୍ଜିତ ଏବଂ ତ୍ରୁଟିହୀନ ହୋଇଥିବାରୁ ସୂତ୍ରଶାସ୍ତ୍ରର ଭାଷ୍ୟକାରଙ୍କ ମତ ଭିନ୍ନ ହେଲେ ମଧ୍ୟ ଉଦ୍ଦେଶ୍ୟ ଏକ-ବ୍ରହ୍ମ ସାକ୍ଷାତ୍‌କାର।
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri