ବର୍ଷା-ଅନୁଭବ ପାରିବାରିକ ବିବାଦର ଅନ୍ତ

କଟକ ଅଫିସ,୨୬ା୮: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏମ୍‌ପି ତଥା ଅଭିନେତା ସ୍ବାମୀ ଅନୁଭବଙ୍କ ପାରିବାରିକ ବିବାଦର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ତ୍ୱରିତ ଶୁଣାଣି ପାଇଁ ଅନୁଭବ ଆବେଦନ କରିଥିବାରୁ ଏହି ମାମଲାର ଆଜି ଅନ୍ତ ଘଟାଇଛନ୍ତି ହାଇକୋର୍ଟ।

ସୂଚନାଯୋଗ୍ୟ, ବିବାହ ବିଚ୍ଛେଦ ପାଇଁ ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟରେ ଆବେଦନ କରିଥିଲେ। ଅପରପକ୍ଷରେ ବର୍ଷା ପାରିବାରିକ ହିଂସା ଓ ରକ୍ଷଣାବେକ୍ଷଣ ସଂକ୍ରାନ୍ତରେ ଏକ ମାମଲା କଟକର ପାରିବାରିକ ଅଦାଲତରେ କରିଥିଲେ । ସେହିପରି ଦିଲୀ କୋର୍ଟରେ ହୋଇଥିବା ମାମଲାକୁ ଓଡ଼ିଶା ସ୍ଥାନାନ୍ତର ପାଇଁ ମଧ୍ୟ ସେ ଏକ ଆବେଦନ କରିଥିଲେ । ପରେ କୋର୍ଟ ଅନୁଭବଙ୍କ ମାମଲାକୁ ସ୍ଥାନାନ୍ତର କରିଥିଲେ ।

ତେବେ ମାମଲା ପରିଚାଳନାରେ ବିଳମ୍ବ ହେଉଥିବାରୁ ଅନୁଭବ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କଟକ ପାରିବାରିକ ଅଦାଲତରେ କେବେ ଅନୁଭବ ତ ଆଉ କେବେ ବର୍ଷା ଅନୁପସ୍ଥିତ ରହୁଥିଲେ। ଏଥିପାଇଁ ଉଭୟ ପରସ୍ପରକୁ ଦୋଷାରୋପ କରୁଥିଲେ। କିନ୍ତୁ ଏବେ ପାରିବାରିକ ଅଦାଲତରେ ଏହାର ଶୁଣାଣି ଆରମ୍ଭ ହୋଇଯାଇଛି । ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଆପୋଷ ଆଲୋଚନା ନିମନ୍ତେ ବହୁ ଉଦ୍ୟମ ସତ୍ତ୍ୱେ ତାହା ବିଫଳ ହୋଇଛି। ଫଳରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ନିଶ୍ଚିତ ହୋଇସାରିଛି ବୋଲି ସ୍ପଷ୍ଟ ଜଣାପଡୁଛି।