ନବୀନ ନିବାସରେ ବର୍ଷା

ଭୁବନେଶ୍ୱର,୨୧।୪: ନବୀନ ନିବାସରେ ପହଞ୍ଚିିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଟିକେଟ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ରବିବାର ବର୍ଷା ପହଞ୍ଚିଥିବା କୁହାଯାଉଛି। ତେବେ ବଡଚଣାରୁ ବର୍ଷାଙ୍କୁ ପ୍ରାର୍ଥୀ କରିଛି ଦଳ । ବରିଷ୍ଠ ନେତା ଅମର ଶତପଥୀଙ୍କ ସ୍ଥାନରେ ବର୍ଷାଙ୍କୁ ପ୍ରାର୍ଥୀ କରାଯାଇଛି । ଏନେଇ ଶନିବାର ଘୋଷଣା ହେବା ପରେ ସେ ପ୍ରଥମେ କଟକ ଚଣ୍ଡୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଆଜି ସେ ନବୀନ ନିବାସରେ ପହଞ୍ଚିି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

ପ୍ରକାଶ ଯେ, ବିଧାନସଭା ନିର୍ବାଚନ ପାଇଁ ଯାଜପୁର ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇବା ପରେ ବର୍ଷା ପ୍ରତିକ୍ରିୟା ରଖି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ମୋ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜଣାଉଛି । ମୁଖମନ୍ତ୍ରୀଙ୍କ ବିଶ୍ୱାସ ଓ ଭରସାକୁ ସମ୍ମାନ ଜଣାଉଛି। ଆଗାମୀ ଦିନରେ ତାଙ୍କର ଏହି ବିଶ୍ୱାସକୁ ଅତୁଟ ରଖିବି । ବଡ଼ଚଣା ମାଟିର ସମସ୍ତ ମା’ ମାଉସୀଙ୍କୁ ଭୁମିଷ୍ଠ ପ୍ରଣାମ ଜଣାଉଛି। ସେମାନଙ୍କର ସୁଖଦୁଃଖରେ ଛିଡ଼ା ହେବି । ବଡ଼ଚଣାର ବିକାଶ ପାଇଁ ଶତ ପ୍ରତିଶତ ନୁହେଁ ହଜାର ପ୍ରତିଶତ ଚେଷ୍ଟା ଜାରି ରଖିବି। ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବି । ମହିଳା ସଶକ୍ତି କରଣକୁ ଆହୁରି କେମିତି ଆଗକୁ ନିଆଯାଇପାରିବ ସେଥିପାଇଁ ଗୁରୁତ୍ୱ ଦେବି ବୋଲି ସେ କହିଛନ୍ତି।