ନବମୀରେ ହୁଏ ମାଛଭୋଗ

କଟକ ଅଫିସ,୧୧ା୯: ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି କଟକର ବିଭିନ୍ନ ପୂଜାମଣ୍ଡପ। ମା’ଙ୍କର ଆଗମନ ପାଇଁ କମିଟି କର୍ମକର୍ତ୍ତାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତେ ଲାଗି ପଡିଛନ୍ତି। ଏହି ପୂଜାଦୌଡରେ ନିଜକୁ ସାମିଲ କରିଛି ସହରର ବହୁ ପୁରାତନ ଚାନ୍ଦିନୀଚୌକ ପୂଜା କମିଟି। ଏହି କମିଟି ରାଜାରାଜୁଡା ଅମଳରୁ ପୂଜାର୍ଚ୍ଚନା କରିଆସୁଛି। ୧୮୭୫ରେ ଦର୍ପଣୀ ରାଜା ଜମି ଦେବା ପରେ ଦୁର୍ଗାପୂଜା ହୋଇଥିଲା। ଏକ ଚାଳଘରେ ପୂଜା କରାଯାଉଥିଲା। ପରବର୍ତ୍ତୀ ସମୟରେ ବିହାରୀଲାଲ ପଣ୍ଡିତଙ୍କ ଦ୍ୱାରା ଏକ ମଣ୍ଡପ ନିର୍ମାଣ କରାଯାଇଥିଲା। ୧୯୨୬ ମସିହାରୁ ଉକ୍ତ ମଣ୍ଡପରେ ମା’ଙ୍କର ପୂଜା କରାଯାଇଆସୁଛି। ୨୦୦୪ରୁ ଏଠାରେ ଚାନ୍ଦିମେଢ଼ ନିର୍ମାଣ କରାଯାଉଛି। ଏହାର ଓଜନ ପ୍ରାୟ ୪ କୁଇଣ୍ଟାଲ ଓ ଉଚ୍ଚତା ୧୪ ଫୁଟ ରହିଛି। ଏଠାରେ ମା’ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଉଥିଲେ ମଧ୍ୟ ଏହାର ମୁଖା ଅନ୍ୟଠାରୁ ଭିନ୍ନ। ରାଜାଙ୍କ ଅମଳରେ ପୂଜା କରାଯିବା ସମୟରେ ଏହି ମୁଖା ନେପାଳରୁ ଆସିଥିଲା। ପ୍ରତିବର୍ଷ ମୂର୍ତ୍ତି ତିଆରିବେଳେ ଏହି ମୁଖା ବ୍ୟବହାର କରାଯାଏ। ଚାନ୍ଦିନୀଚୌକ ଦୁର୍ଗାଙ୍କୁ ସାନଭଉଣୀ କୁହାଯାଏ। ସାନ ଭଉଣୀ ହୋଇଥିବାରୁ ସମସ୍ତ ମୂର୍ତ୍ତି ଭସାଣ ପରଦିନ ଏଠାକାର ମା’ଙ୍କୁ ମେଲାଣି ଦିଆଯାଇଥାଏ। ବହୁବର୍ଷ ଧରି ରାଜ ପରିବାର ଦୁର୍ଗାପୂଜା କରିଆସୁଥିବାବେଳେ ସମୟାନୁକ୍ରମେ ସାହି ଓ ପୂଜା କମିଟି ଗଠନ କରାଯାଇ ମୁରବୀ ଓ ଯୁବକମାନଙ୍କୁ ପୂଜା ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଚଳିତବର୍ଷ ପ୍ରାୟ ୨୨ଲକ୍ଷ ଟଙ୍କାର ପୂଜା ବଜେଟ ରହିଛି।

ଚଳିତବର୍ଷ କମିଟି କିଛି ନୂଆ ଢଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାଜସଜ୍ଜା କରିବାକୁ ଲକ୍ଷ୍ୟ ରଖିଛି ା ପୂଜା ସମୟରେ ୪ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଭୁବନେଶ୍ୱର ଓ କଟକର ନାମୀଦାମୀ ମେଲୋଡି କଳାକାର ସଙ୍ଗୀତ ପରିବେଷଣ କରିବେ। ଚାନ୍ଦିନୀଚୌକ ଏକ ବଡ଼ ଅଞ୍ଚଳ ହୋଇଥିବାରୁ ୮ରୁ ଅଧିକ ଗେଟ୍‌ ତିଆରି ହେବ। ସହରର ପ୍ରବେଶ ପଥ ବେଲ୍‌ଭ୍ୟୁ ଛକ ନିକଟ ଗୋଲେଇରେ ଅତ୍ୟାଧୁନିକ ଲାଇଟ୍‌ରେ ୱେଲ୍‌କମ୍‌ ଗେଟ୍‌ ନିର୍ମାଣ ପାଇଁ ଯୋଜନା ରହିଛି। ସେହିପରି ପରମ୍ପରା ଅନୁଯାୟୀ ମା’ଙ୍କ ନିକଟରେ ମାଛ ଓ ମିଠା ଭୋଗ କରାଯାଇଥାଏ। ମାଛ ଭୋଗ ଏଠାକାର ନିଆର ପରମ୍ପରା ରହିଛି ା ପ୍ରତିବର୍ଷ ନବମୀରେ ମା’ଙ୍କ ନିକଟରେ ମାଛ ଭୋଗ କରାଯାଏ। ଚଳିତବର୍ଷ ୫ କୁଇଣ୍ଟାଲ ମାଛ ଭୋଗ କରାଯିବ ବୋଲି କମିଟି ପକ୍ଷରୁ ଜଣାପଡିଛି।