କେସିଙ୍ଗା,୨ା୭(ତୁମେଶ୍ୱର ସାହୁ): ବୁଧବାର ମଧ୍ୟାହ୍ନରେ ବିଶାଖାପାଟଣା -ରାୟପୁର ଅଭିମୁଖେ ଚାଲୁଥିବା ପାସେଞ୍ଜର ଟ୍ରେନ୍ରେ ବିନା ଲଗେଜ୍ରେ ହଜାର ହଜାର କ୍ୱିଣ୍ଟାଲ ବିଭିନ୍ନ ସାମଗ୍ରୀ ଚୋରାରେ ଚାଲାଣ ହେଉଥିବା କେସିଙ୍ଗା ରେଳବାଇ ଷ୍ଟେଶନରେ ବୁଧବାର ଦେଖିବାକୁ ମିଳିଛି। ପାସେଞ୍ଜର ଟ୍ରେନ୍ର ବଗିରେ ଆମ୍ବ,ପଣସ, ସପୁରୀ ପଣସ ତେନ୍ତୁଳି ଭଳି ମୂଲ୍ୟବାନ ଜିନିଷପତ୍ର ଚାଲାଣ ହେଉଛି। ବଗି ଭିତରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ବ୍ୟାଗ ଭିତରେ ଭର୍ତ୍ତି ଥିବା ଜିନିଷ ଚାଲାଣ ହେଉଛି। ଯାହାଫଳରେ ଯାତ୍ରୀମାନେ ଚଢ଼ିବା ଓହ୍ଲାଇବାରେ ରାସ୍ତା ନ ପାଇ ହାଇରାଣ ହରକତ ହେଉଛନ୍ତି। ବୁଢ଼ାବୁଢ଼ୀ, ଦିବ୍ୟାଙ୍ଗ ଯାତ୍ରୀମାନେ ଟ୍ରେନ୍ ଭିତରକୁ ଚଢ଼ିଲେ ମଧ୍ୟ ସିଟ୍ ଖାଲି ନ ଥିବାରୁ ବୁଢ଼ାବୁଢ଼ୀ ଠିଆ ହୋଇ ଦୂର ଜାଗାକୁ ଯାତ୍ରା କରୁଥିବାର ଦେଖିବାକୁ ମିଳୁଛି। ଏହି ସବୁ ମୂଲ୍ୟବାନ ଜିନିଷଗୁଡ଼ିକ ବିଷମକଟକ, ମୁନିଗୁଡ଼ା, ଆମ୍ବାଦଳା, ଠାରୁ ଟ୍ରେନ୍ରେ ବୋଝେଇ ହୋଇ ରୁପ୍ରା ରୋଡ଼, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି,ମହାସମୁନ୍ଧ, ରାୟପୁରକୁ ବ୍ୟବସାୟୀମାନେ ଚାଲାଣ କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ରେଳ ବିଭାଗର କ୍ଷତି ହେଉଛି। ପାସେଞ୍ଜର ଟ୍ରେନରେ ରେଳବାଇ ବିଭାଗ ପକ୍ଷରୁ ଆର୍ପିଏଫ୍ କିମ୍ବା ଜି.ଆର.ପି ଏହାର ତଦନ୍ତ କରିବା କଥା। କିନ୍ତୁ ବ୍ୟବସାୟୀଙ୍କ ସହ ସଲାସୁତରା ହୋଇ ଜାଣି ଅଜଣା ହେଉଛି। ରେଳବାଇ ପୋଲିସ ନୀରବଦ୍ରଷ୍ଟା ସାଜିଥିବାରୁ ରେଳ ବିଭାଗର ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ହାନି ଘଟୁଛି। ଏଥିପ୍ରତି ସମ୍ବଲପୁର ଡିଭିଜନର ଡିଆର୍ଏମ୍ ଦୃଷ୍ଟି ଦେବା ପାଇଁ ଯାତ୍ରୀମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜି.ଆର୍.ପି ଟିଟିଲାଗଡ଼କୁ ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


