
ବଲାଙ୍ଗୀର,୨ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ର ହଷ୍ଟେଲ ଫି’ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଶ୍ୱବିଦ୍ୟାଳୟ ଭି. ସିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ଶହଶହ ଛାତ୍ରୀଛାତ୍ର। ଏକା ଥରକେ ଏହି ବର୍ଷରେ ୩ରୁ ୪ ହଜାର ଟଙ୍କା ହଷ୍ଟେଲ ଫି’ ବୃଦ୍ଧି କରାଯାଇଥିବାରୁ ଏହାକୁ ପ୍ରତିବାଦ କରିଛନ୍ତି ହଷ୍ଟେଲ ଅନ୍ତେବାସୀ। ହଷ୍ଟେଲ ଛାତ୍ରୀଛାତ୍ରଙ୍କଠାରୁ ଯେତିକି ଫି’ ନେଉଛନ୍ତି ହଷ୍ଟେଲରେ ସେଭଳି କୌଣସି ସୁବିଧା ଯୋଗାଇ ଦିଆଯାଉନାହିଁ। ବହୁ ଅସୁବିଧାରେ ହଷ୍ଟେଲ ଛାତ୍ରୀଛାତ୍ର ରହୁଥିବା ଅଭିଯୋଗ କରିଛନ୍ତି l
ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଅଧିକାଂଶ ଗରିବ ପିଲା ରହି ପାଠ ପଢୁଛନ୍ତି। ତେଣୁ ହଷ୍ଟେଲ ଫି’ ବୃଦ୍ଧି କରା ନ ଯାଉ ବୋଲି ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛାତ୍ର। ଅନ୍ୟ ପାଖ ଜିଲା କଳାହାଣ୍ଡି ଓ ସମ୍ବଲପୁର ଜିଲାରେ ହଷ୍ଟେଲ ଫି’ କମ୍ ଥିବା ବେଳେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ କେମିତି ଫି’ ବଢିଲା ପ୍ରଶ୍ନ କରିଛନ୍ତି। ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଛାତ୍ର ସଂଗଠନ ସମର୍ଥନ କରି ଧାରଣାରେ ବସିଛନ୍ତି। ଅନ୍ୟପଟେ ନିୟମ ଅନୁଯାୟୀ ଫି’ ନିଆଯାଉଛି। ଏ ବର୍ଷ ହଷ୍ଟେଲ ଫି’ ସେତିକି ରଖାଯାଇଛି l ହଷ୍ଟେଲ ସୁରକ୍ଷା ବଢାଇବା ପାଇଁ ଗତ ବର୍ଷଠାରୁ ଫି’ବଢ଼ା ଯାଇଥିବା କହିଛନ୍ତି। ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯିବ ବୋଲି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଉମାଭଲ୍ଳଭ ମହାପାତ୍ର କହିଛନ୍ତି।