ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା ପାଇଁ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ପ୍ରବଳ ଗହଳି ଲାଗିରହିଥିଲା। ତେବେ ଏହି ଭକ୍ତଙ୍କ ଭିଡ଼ର ସୁଯୋଗ ନେଇ ସହରରେ ଏକ ସଂଗଠିତ ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା ଦଳ ସକ୍ରିୟ ହୋଇଉଠିଥିଲେ। ଯାତ୍ରା ଦେଖିବାକୁ ଆସୁଥିବା ମହିଳାମାନଙ୍କୁ ଟାର୍ଗେଟ୍ କରି ସେମାନଙ୍କ ବ୍ୟାଗ୍‌ରୁ ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଉଥିବା ଏକ ଆନ୍ତୀୟ-ଜିଲ୍ଲା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି ଛତ୍ରପୁର ଥାନା ପୋଲିସ।

ସୂଚନା ଅନୁଯାୟୀ, ଏହି ଲୁଟେରା ଗ୍ୟାଙ୍ଗ୍‌ରେ ଉଭୟ ମହିଳା ଓ ପୁରୁଷ ସାମିଲ ରହି ଗହଳି ଭିତରେ କାମ କରୁଥିଲେ। ଗତ ୨୭ ତାରିଖ ସନ୍ଧ୍ୟାରେ ଏବଂ ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ମଧ୍ୟ ଯାତ୍ରା ଭିଡ଼ ଭିତରୁ ଦୁଇ ଜଣ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍‌ରୁ ବେଆଇନ ଭାବେ କିଛି ନଗଦ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିଲା। ଏହି ଘଟଣାକୁ ନେଇ କ୍ଷତିଗ୍ରସ୍ତ ମହିଳାଙ୍କ ଅଭିଯୋଗ ଆଧାରରେ ଛତ୍ରପୁର ଥାନାରେ ବିଭିନ୍ନ ଧାରାରେ ଏକାଧିକ ମାମଲା ରୁଜୁ କରାଯାଇଥିଲା। ମାମଲାକୁ ଗମ୍ଭୀରତାର ସହ ନେଇ ଛତ୍ରପୁର ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସହରର ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ଉ ଓ ପାଟ୍ରୋଲିଂ ଜାରି ରଖିଥିଲା।

ଆଜି (ଶନିବାର) ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ତତ୍ପରତା ପ୍ରକାଶ କରିଥିଲା ଏବଂ ଚୋରି ଘଟଣାରେ ସଂପୃକ୍ତ ୩ ଜଣ ମହିଳା ଓ ଜଣେ ପୁରୁଷ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଚୋରି ହୋଇଥିବା ନଗଦ ୯ ହଜାର ଟଙ୍କା ଜବତ କରାଯାଇଛି। ସେମାନଙ୍କୁ ଅଧିକ ପଚରାଉଚରା କରାଯାଉଥିବା ବେଳେ ଖୁବ୍ ଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

Dharitri – Odisha’s No.1 Odia Daily

Share