ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ ଯୁବଶକ୍ତିର ଅବଦାନ ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସରକାର ଘୋଷଣା କରିଛନ୍ତି। ବିକଶିତ ଭାରତ ଦିଗରେ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛନ୍ତି ଯୁବବର୍ଗ। ୧୫ ତାରିଖରେ ଭାରତ ୮୦ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି। ଲାଲ୍କିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଉତ୍ସବ ପାଳନର ନେତୃତ୍ୱ ନେବେ। ଜାତୀୟ ଗାନ ‘ବନ୍ଦେ ମାତରମ୍’ ମଧ୍ୟ ଚଳିତ ବର୍ଷ ୧୫୦ତମ ବର୍ଷରେ ପଦାର୍ପଣ କରିଛି। ସ୍ବାଧୀନତା ଆନ୍ଦୋଳନ ବେଳେ ଏହି ଗାନ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଥିଲା। ପ୍ରଧାନମନ୍ତ୍ରୀ ଲାଲ୍କିଲ୍ଲାରେ ପହଞ୍ଚତ୍ବା ପରେ ପ୍ରଥମେ ବନ୍ଦେ ମାତରମ୍ ଗାନ କରାଯିବ। ଏହା ପରେ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ।