ବ୍ରେକ୍‌ଫେଲ୍‌ ହୋଇ ନାଳକୁ ଓଲଟିଲା ଭ୍ୟାନ୍‌: ୩୦ ଗୁରୁତର

ବଇଣ୍ଡା,୬।୨(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ମଣ୍ଡାମ ନାଳ ତଳକୁ ରବିବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳର ଫାନ୍ସି ଲାଖଡା, ନବୀନ ସୋୟା, ସୋରେନ ସୋୟା, ମୁନିୱାନା ସୋରେନ, ମାଟିଆ କେରକେଟା, ନାଥରୁ ବାର୍ଳା, ପାଣ୍ଡେଇ ଲୁଗନ, ବେବିନା ତେରାଙ୍କ ସମେତ ୩୦ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାରୁ ଜଣାପଡିଛି, ରେଢାଖୋଲ ଅଞ୍ଚଳର ୩୦ ଜଣ ବ୍ୟକ୍ତି ଏକ ପିକଅପ୍‌ ଭ୍ୟାନ୍‌ (ନଂ. ଓଡି-୨୮-୦୩୬୫)ରେ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ ନାକିଚି ନିକଟବର୍ତ୍ତୀ ଉଡଲ ଅଞ୍ଚଳକୁ ଯାଉଥିଲେ। ଏହି ସମୟରେ ବ୍ରେକ୍‌ଫେଲ୍‌ ହୋଇଯିବାରୁ ଗାଡ଼ିଟି ନାଳକୁ ଖସି ପଡ଼ିଥିଲା। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ସମସ୍ତଙ୍କୁ ବଇଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ରେଢାଖୋଲ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ହଣ୍ଡପା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରି ତଦନ୍ତ ଚଳାଇଛି।