ଦୋହା, ୨୫ା୧୧: ଟିନ୍ ଏଜ୍ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ମଙ୍ଗଳବାର ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଏଠାରେ ଚାଲିଥିବା ଏସିଆ କପ୍ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ନିଜର ଗୋଟିଏ ଇନିଂସ ମଧ୍ୟରେ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି ଏହି ବିସ୍ଫୋରକ ବ୍ୟାଟର। ତାଙ୍କର ୫୩ ବଲ୍ରେ ୨୦୪ ରନ୍ର ଧୂଆଁଧାର ଦ୍ୱିଶତକ ବଳରେ ଭାରତ ପ୍ରତିପକ୍ଷ ୟୁଏଇ ବିପକ୍ଷ ମ୍ୟାଚ୍କୁ ଅତି ସହଜରେ ୭ ଉଇକେଟରେ ଜିତିନେଇଛି। ଏହି ବିଜୟ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ୟୁଏଇ ପକ୍ଷରୁ ଧାର୍ଯ୍ୟ ୨୫୨ ରନ୍ର ଟାର୍ଗେଟକୁ ଭାରତ ମାତ୍ର ୧୪.୨ ଓଭରରେ ୩ ଉଇକେଟ ହରାଇ ହାସଲ କରିନେଇଥିଲା। ୨୦୦ରୁ ଊର୍ଦ୍ଧ୍ୱ ଟାର୍ଗେଟ୍କୁ ଖୁବ୍ କମ୍ ଓଭରରେ ସଫଳତାର ସହ ହାସଲ କରିବା ଦୃଷ୍ଟିରୁ ଏହା ଲିଷ୍ଟ-ଏ’ କ୍ରିକେଟ ଇତିହାସରେ ସବୁଠୁ ବଡ଼ ବିଜୟ। ଛକା ବର୍ଷା କରିଥିବା ବୈଭବଙ୍କ ୨୮ ବଲ୍ରେ ଶତକ ଓ ୫୨ ବଲ୍ରେ ଦ୍ୱିଶତକ ମଧ୍ୟ ଲିଷ୍ଟ-ଏ’ କ୍ରିକେଟରେ ଏକ ରେକର୍ଡ। ତାଙ୍କ ଇନିଂସ୍ରେ ୨୮ ଛକା ସାମିଲ ଥିଲା, ଯାହାକି ସମସ୍ତ ପେସାଦାର କ୍ରିକେଟରେ ସର୍ବାଧିକ। ପୂର୍ବରୁ ଏହି ରେକର୍ଡ ଭାରତର ତନ୍ମୟ ଅଗ୍ରଓ୍ବାଲଙ୍କ ନାମରେ ଥିଲା। ସେ ୨୦୨୪ ଅରୁଣାଚଳ ପ୍ରଦେଶ ବିପକ୍ଷ ରଣ୍ଜୀ ଟ୍ରଫି ମ୍ୟାଚ୍ରେ ହାଇଦ୍ରାବାଦ ପାଇଁ ଗୋଟିଏ ଇନିଂସରେ ୨୬ ଛକା ମାରିଥିଲେ। ବୈଭବ ଏହି ଇନିଂସ୍ ଅବସରରେ ୩୮୪.୯୦ ଷ୍ଟ୍ରାଇକ୍ରେଟ୍ ହାସଲ କରିଥିଲେ, ଯାହାକି ଲିଷ୍ଟ-ଏ’ କ୍ରିକେଟ ଇତିହାସରେ ସର୍ବାଧିକ। ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ୫୦ ଓଭରରେ ୮ ଉଇକେଟ ହରାଇ ୨୪୯ ରନ କରିଥିଲା। ଭାରତ ପାଇଁ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଖେଳିଥିବା ହରପ୍ରୀତ ସିଂ ଭାଟିଆ ୧୩୦ (୧୨ ଚୌକା ଓ ୪ ଛକା) ଓ ଅଧିନାୟକ ବାସିଲ ହାମିଦ ୩୬ ରନ୍ କରିଥିଲେ। ଭାଟିଆ ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଇଁ ଘରୋଇ କ୍ରିକେଟ ଖେଳିବା ସହ ୯ ଆଇପିଏଲ୍ ମ୍ୟାଚ୍ ମଧ୍ୟ ଖେଳିଥିଲେ। ଭାରତ ପକ୍ଷରୁ ବୋଲିଂରେ ଅର୍ଶଦ ଖାନ୍ ୪ ଉଇକେଟ ନେଇଥିଲେ। ଜବାବରେ ପ୍ରଥମ ଦୁଇ ମ୍ୟାଚ୍ରେ ବିଫଳ ଥିବା ସତ୍ତ୍ୱେ ବୈଭବ ଆରମ୍ଭରୁ ହିଁ ଛକା ବର୍ଷା କରିଥିଲେ। ଉଭୟ ପେସର ଓ ସ୍ପିନରଙ୍କ ବିପକ୍ଷରେ ସେ ଲଗାତର ବଡ଼ ବଡ଼ ଶଟ୍ ଖେଳି ମାତ୍ର ୨୮ ବଲ୍ରେ ୧୦୦ ଓ ୫୨ ବଲ୍ରେ ଦ୍ୱିଶତକ ପୂରଣ କରିଥିଲେ। ତାଙ୍କ ଇଂନିସରେ ୭ଟି ଚୌକା ମଧ୍ୟ ସାମିଲ ଥିଲା। ଏଥିସହିତ ସେ ଲିଷ୍ଟ-ଏ’ କ୍ରିକେଟ ଇତିହାସରେ ଦ୍ରୁତତମ ଶତକ ଓ ଦ୍ୱିଶତକ ରେକର୍ଡର ଅଧିକାରୀ ହୋଇଛନ୍ତି। ଲିଷ୍ଟ-ଏ’ରେ ଦ୍ରୁତତମ ଶତକ ରେକର୍ଡ ପୂର୍ବରୁ ଅଷ୍ଟ୍ରେଲିଆର ଜ୍ୟାକ୍ ଫ୍ରେଜର ମ୍ୟାକଗର୍କ(୨୯ ବଲ) ଓ ଦ୍ରୁତତମ ଦ୍ୱିଶତକ ରେକର୍ଡ ନ୍ୟୁଜିଲାଣ୍ଡର ଚାଦ୍ ବୋଓ୍ବେସ(୧୦୩)ଙ୍କ ନାମରେ ଥିଲା।
ସଂକ୍ଷିପ୍ତ ସ୍କୋର
ୟୁଏଇ: ୫୦ ଓଭରରେ ୨୪୯/୮(ହରପ୍ରୀତ ସିଂ ଭାଟିଆ-୧୩୦, ବାସିଲ ହାମିଦ-୩୬*, ଅର୍ଶଦ ଖାନ୍-୪/୪୩)। ଭାରତ: ୧୪.୨ ଓଭରରେ ୨୫୩/୩(ବୈଭବ ସୂର୍ଯ୍ୟବଂଶୀ-୨୦୪, ରିଙ୍କୁ ସିଂ-୨୭*, ଜାହିଦ ଅଲୀ-୧/୫୨)।