ପ୍ଲେୟାର ଅଫ ଦ ମ୍ୟାଚ ପୁରସ୍କାର ଜିତିଲେ ବୈଭବ: କହିଲେ-ମୋ ମନରେ ସେମିତି କିଛି…

ନୂଆଦିଲ୍ଲୀ, ୨୫।୧୧: ଏସିସି ପୁରୁଷ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ମଙ୍ଗଳବାର ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଦ୍ୱିଶତକ ବଳରେ ୟୁଏଇ ବିପକ୍ଷରେ ୭ ଉଇକେଟ୍‌ରେ ଦମଦାର ବିଜୟ ହାସଲ କରିଛି ଭାରତ-ଏ ଦଳ। ଏହି ବିଜୟ ସହ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ମାତ୍ର ୧୪.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

ବୈଭବ ୫୩ଟି ବଲରେ ୨୮ଟି ଛକା ଓ ୭ଟି ଚୌକା ସହାୟତାରେ ୨୦୪ ରନର ଧୂଆଁଧାର ଇନିଂସ ଖେଳି ଆଉଟ ହୋଇଥିଲେ। ଏହି ଇନିଂସ ଅବସରରେ ସେ ମାତ୍ର ୨୮ଟି ବଲରେ ଶତକ ପୂରଣ କରିଥିଲେ, ଯାହା ଲିଷ୍ଟ-ଏ କ୍ରିକେଟରେ ଦ୍ରୁତତମ ଶତକର ରେକର୍ଡ। ସେହିପରି ୪୦ଟି ବଲରେ ୧୫୦ ରନ ଏବଂ ୫୨ଟି ବଲରେ ଦ୍ୱିଶତକ ପୂରଣ କରିଥିଲେ।

ମ୍ୟାଚ ପରେ ପ୍ଲେୟାର ଅଫ ଦ ମ୍ୟାଚ ପୁରସ୍କାର ଜିତିଥିବା ବୈଭବ ସୂର୍ଯ୍ୟବଂଶୀ କହିଥିଲେ ଯେ, ଗତ ଦୁଇଟି ମ୍ୟାଚରେ ତାଙ୍କୁ ଭଲ ଆରମ୍ଭ ମିଳିଥିଲେ ମଧ୍ୟ ସେ ବଡ଼ ଇନିଂସ ଖେଳିବାରେ ସଫଳ ହୋଇନଥିଲେ। ତେଣୁ ୟୁଏଇ ବିପକ୍ଷ ମ୍ୟାଚରେ ତାଙ୍କ ଯୋଜନା ଆରମ୍ଭରେ ଟିକିଏ ସମୟ ନେଇ ଖେଳିବା ଥିଲା। କିନ୍ତୁ କିଛି ବଲ ଖେଳିବା ପରେ ସେ ଅନୁଭବ କରିଥିଲେ ଯେ, ପିଚ୍‌ରେ ବୋଲରମାନଙ୍କୁ ବିଶେଷ ସହାୟତା ମିଳୁନାହିଁ। ତେଣୁ ସେ ନିଜର ସ୍ବାଭାବିକ ବ୍ୟାଟିଂ ଉପରେ ଭରସା କରି ଖୋଲାଖୋଲି ଶଟ ଖେଳିବା ଆରମ୍ଭ କରିଥିଲେ।

ବୈଭବ ଆହୁରି କହିଥିଲେ ଯେ, ବ୍ୟାଟିଂ କରିବା ସମୟରେ ତାଙ୍କ ମନରେ କୌଣସି ବିଶେଷ ରେକର୍ଡ କିମ୍ବା ଉପଲବ୍ଧି ହାସଲ କରିବାର ଚିନ୍ତା ନଥିଲା। ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ କେବଳ ମ୍ୟାଚରେ ପରିସ୍ଥିତି ଅନୁଯାୟୀ ଖେଳିବା ଉପରେ ଥିଲା। ଯଦି ପିଚ ବୋଲରଙ୍କୁ ସହାୟତା କରିଥାନ୍ତା, ତେବେ ସେ ଧୈର୍ଯ୍ୟର ସହ ଖେଳି ଲମ୍ବା ଇନିଂସ ଗଢ଼ିବାକୁ ଚେଷ୍ଟା କରିଥାନ୍ତେ। କିନ୍ତୁ ଉଇକେଟ୍‌ରେ ବ୍ୟାଟିଂ ପାଇଁ ଅନୁକୂଳ ଥିଲା ଏବଂ ବଲ ସହଜରେ ବ୍ୟାଟରୁ ଆସୁଥିଲା। ତେଣୁ ସେ ନିଜ ଖେଳ ଉପରେ ଭରସା ରଖି ସେହି ଅନୁସାରେ ବ୍ୟାଟିଂ କରିଥିଲେ।

 

Dharitri – Odisha’s No.1 Odia Daily

Share