୧୫ ବର୍ଷରେ ଡେବ୍ୟୁ କରି ଇତିହାସ ରଚିଲେ Vaibhav Suryavanshi, ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମ୍ୟାଞ୍ଚେଷ୍ଟର,୪।୭: ଭାରତୀୟ କ୍ରିକେଟର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ଶେଷରେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ତାଙ୍କୁ ଭାରତ ପାଇଁ ଖେଳିବାର ସୁଯୋଗ ମିଳିଛି। ମ୍ୟାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ ଗ୍ରାଉଣ୍ଡରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବୈଭବଙ୍କୁ ଭାରତୀୟ ଦଳର ଡେବ୍ୟୁ କ୍ୟାପ୍ ପ୍ରଦାନ କରାଯାଇଥିଲା। ଏହାସହ ସେ ଭାରତ ପାଇଁ ଆନ୍ତର୍ଜାତୀୟ ଟି-୨୦ ଖେଳିବାରେ ୧୨୨ତମ ଖେଳାଳି ବନିଛନ୍ତି।

ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତ ପାଇଁ ସବୁଠାରୁ କମ୍ ବୟସରେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିବା ଖେଳାଳି ହୋଇପାରିଛନ୍ତି। ଇଂଲଣ୍ଡ ବିପକ୍ଷ ଏହି ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଓହ୍ଲାଇବା ସମୟରେ ତାଙ୍କୁ ମାତ୍ର ୧୫ ବର୍ଷ ୯୯ ଦିନ ବୟସ ହୋଇଛି।

ଏହି ସଫଳତା ସହ ବୈଭବ କ୍ରିକେଟର ଭଗବାନ କୁହାଯାଉଥିବା ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କର ପ୍ରାୟ ୩୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ସଚିନ ତେନ୍ଦୁଲକର ନଭେମ୍ବର ୧୯୮୯ରେ ପାକିସ୍ତାନ ବିପକ୍ଷ କରାଚି ଟେଷ୍ଟରେ ୧୬ ବର୍ଷ ୨୦୫ ଦିନ ବୟସରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଏବେ ବୈଭବ ସଚିନଙ୍କୁ ପଛରେ ପକାଇ ଭାରତର ସବୁଠାରୁ କମ୍ ବୟସର ପୁରୁଷ ଆନ୍ତର୍ଜାତୀୟ କ୍ରିକେଟର ହୋଇଛନ୍ତି।

ପୁରୁଷ କ୍ରିକେଟ୍ ସହ ମହିଳା କ୍ରିକେଟ୍‌କୁ ମିଶାଇଲେ ମଧ୍ୟ ଭାରତ ପାଇଁ ସବୁଠାରୁ କମ୍ ବୟସରେ ଡେବ୍ୟୁ କରିବାର ରେକର୍ଡ ପୂର୍ବରୁ ବିସ୍ଫୋରକ ଓପନର୍ ଶେଫାଳୀ ବର୍ମାଙ୍କ ନାମରେ ଥିଲା। ଶେଫାଳୀ ୧୫ ବର୍ଷ ୨୩୯ ଦିନ ବୟସରେ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। କିନ୍ତୁ ଆଜି ମାତ୍ର ୧୫ ବର୍ଷ ୯୯ ଦିନ ବୟସରେ ମୈଦାନକୁ ଓହ୍ଲାଇ ବୈଭବ, ଶେଫାଳୀଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗି ସର୍ବକାଳୀନ ସର୍ବକନିଷ୍ଠ ଭାରତୀୟ ଆନ୍ତର୍ଜାତୀୟ କ୍ରିକେଟର ହେବାର ଗୌରବ ହାସଲ କରିଛନ୍ତି।

Dharitri – Odisha’s No.1 Odia Daily

Share