Categories: Home Leftଖେଳ

ଆସନ୍ତାକାଲି ମଇଦାନକୁ ଓହ୍ଲାଇବେ ବୈଭବ ସୂର୍ଯ୍ୟବଂଶୀ! କେଉଁଠି , କେମିତି ଦେଖିବେ ମ୍ୟାଚ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୧୧: ଦୋହାରେ ଆରମ୍ଭ ହୋଇଛି ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬। କିନ୍ତୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ନଜର ଏବେ ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିଛି। ନଭେମ୍ବର ୨୦ ତାରିଖରେ ମଇଦାନକୁ ଓହ୍ଲାଇବା ମାତ୍ରେ ତାଙ୍କୁ ଆକ୍ସନରେ ଦେଖିବାକୁ ମିଳିବ। ତିଳକ ବର୍ମାଙ୍କ ନେତୃତ୍ୱରେ ଖେଳିବାକୁ ଥିବା ଭାରତୀୟ ଦଳ ନେପାଳ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚର ଲାଇଭ ଟେଲିକାଷ୍ଟ ଓ ଲାଇଭ ଷ୍ଟ୍ରିମିଂକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। ବୈଭବ ସୂର୍ଯ୍ୟବଂଶୀଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ସହ ଏହି ୫୦ ଓଭର ବିଶିଷ୍ଟ ମ୍ୟାଚକୁ କେବେ, କେଉଁଠି ଏବଂ କିପରି ଟିଭି ଓ ମୋବାଇଲରେ ଦେଖିହେବ, ସେନେଇ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଯାହାଦ୍ୱାରା କୌଣସି ଦର୍ଶକ ଏହି ରୋମାଞ୍ଚକର ମୁକାବିଲା ଦେଖିବାରୁ ବଞ୍ଚିତ ହେବେ ନାହିଁ।

ଏସିଆ କପ ରାଇଜିଂ ଷ୍ଟାର୍ସ (Asia Cup Rising Stars) ଅନ୍ତର୍ଗତ ଭାରତ ଏ ଏବଂ ନେପାଳ ମଧ୍ୟରେ ମ୍ୟାଚ ଶୁକ୍ରବାର, ନଭେମ୍ବର ୨୦ ତାରିଖରେ କତାରର ରାଜଧାନୀ ଦୋହାରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ଅପରାହ୍ଣ ୩ଟା ୩୦ ମିନିଟରେ ଆରମ୍ଭ ହେବ। ଏହାର ଠିକ ଅଧଘଣ୍ଟା ପୂର୍ବରୁ ଅର୍ଥାତ୍‌ ଅପରାହ୍ଣ ୩ଟାରେ ଟସ ପଡ଼ିବ। ଦର୍ଶକମାନେ ବିଶେଷ ଭାବେ ଧ୍ୟାନ ଦେବା ଉଚିତ ଯେ, ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ନୁହେଁ, ବରଂ ୫୦ ଓଭର ବିଶିଷ୍ଟ ଦିନିକିଆ ଫର୍ମାଟରେ ଖେଳାଯାଉଛି।
ସେହିଦିନ ପାକିସ୍ତାନ ଦଳ ମଧ୍ୟ ମଇଦାନକୁ ଓହ୍ଲାଇବ। ଏହାର ମୁକାବିଲା ୟୁଏଇ ସହ ହେବ। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ସକାଳ ୧୧ଟା ୩୦ ମିନିଟରେ ଆରମ୍ଭ ହେବ।

ଭାରତ ବନାମ ନେପାଳ ମ୍ୟାଚର ପ୍ରସାରଣ ଅଧିକାର ସୋନି ସ୍ପୋର୍ଟସ ନେଟୱର୍କ ପାଖରେ ରହିଛି। ଯେଉଁ ଦର୍ଶକମାନେ ଟେଲିଭିଜନରେ ଏହି ମ୍ୟାଚ ଦେଖିବାକୁ ଚାହୁଁଛନ୍ତି, ସେମାନେ ସୋନି ସ୍ପୋର୍ଟସ ଚ୍ୟାନେଲଗୁଡ଼ିକରେ ଲାଇଭ ପ୍ରସାରଣ ଦେଖିପାରିବେ। ସେହିପରି ସ୍ମାର୍ଟଫୋନରେ ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କୁ SonyLIV ଆପରେ ସହାୟତା ନେବାକୁ ପଡ଼ିବ। ଏହା ବ୍ୟତୀତ ଲାପଟପ ଓ ଟାବ୍ଲେଟରେ ମଧ୍ୟ SonyLIV ଆପ କିମ୍ବା ପ୍ଲାଟଫର୍ମ ମାଧ୍ୟମରେ ମ୍ୟାଚର ସିଧା ପ୍ରସାରଣ ଦେଖିହେବ। ତେବେ ଏହି ମ୍ୟାଚ ଦେଖିବା ପାଇଁ ସମ୍ପୂର୍ଣ୍ଣ ମାଗଣା ବିକଳ୍ପ ଉପଲବ୍ଧ ନାହିଁ। ଲାଇଭ ପ୍ରସାରଣ ଦେଖିବାକୁ ଦର୍ଶକଙ୍କୁ ସବ୍ସ୍କ୍ରିପ୍ସନ ନେବାକୁ କିମ୍ବା ଶୁଳ୍କ ଦେବାକୁ ପଡ଼ିବ।

ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ପାଇଁ ଚୟନ ହୋଇଥିବା ଭାରତ ଏ ଦଳରେ ଅଭିଜ୍ଞତା ଓ ଯୁବ ଉତ୍ସାହର ଉତ୍ତମ ସମନୱୟ ଦେଖିବାକୁ ମିଳିଛି। ଦଳର ନେତୃତ୍ୱ ତିଲକ ବର୍ମା ନେଉଥିବା ବେଳେ ରିଙ୍କୁ ସିଂହଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ଟପ ଅର୍ଡର ଓ ମିଡିଲ ଅର୍ଡରରେ ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମାଙ୍କ ଭଳି ଆକ୍ରମଣାତ୍ମକ ବ୍ୟାଟର୍‌ ରହିଛନ୍ତି। ସେହିପରି ପ୍ରଭସିମରନ ସିଂହ ଉଇକେଟ୍‌କିପର ବ୍ୟାଟର୍‌ ଭାବେ ଦଳରେ ସ୍ଥାନ ପାଇଛନ୍ତି। ଏମାନଙ୍କ ବ୍ୟତୀତ ଆୟୁଷ ବଦୋନି ଏବଂ କୁମାର କୁଶାଗ୍ର ମଧ୍ୟ ଦଳର ବ୍ୟାଟିଂ ଶକ୍ତିକୁ ଆହୁରି ମଜବୁତ କରିବେ।

ଅଲରାଉଣ୍ଡର୍‌ ଓ ବୋଲିଂ ବିଭାଗକୁ ଦେଖିଲେ ସୂର୍ଯ୍ୟାଂଶ ସେଡଗେ, ଶାହବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ ଏବଂ ତନୁଶ କୋଟିଆନ ଦଳକୁ ସନ୍ତୁଳନ ପ୍ରଦାନ କରୁଛନ୍ତି। ସେହିପରି ଦ୍ରୁତ ବୋଲିଂ ବିଭାଗରେ ହର୍ଷିତ ରାଣା, ପ୍ରିନ୍ସ ଯାଦବ ଏବଂ ଅର୍ଶଦ ଖାନ ସାମିଲ ଅଛନ୍ତି।

 

Dharitri – Odisha’s No.1 Odia Daily

Share