ଦ୍ରୁତତମ ଦ୍ୱିଶତକ ହାସଲକାରୀ ଟପ୍‌-୫ ବ୍ୟାଟର: ତାଲିକାରେ ବୈଭବଙ୍କ ସ୍ଥାନ କେଉଁଠି? ଜାଣନ୍ତୁ…

ନୂଆଦିଲ୍ଲୀ, ୨୫।୧୧: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୫୨ଟି ବଲରେ ଦ୍ରୁତତମ ଦ୍ୱିଶତକ ହାସଲ କରି ଲିଷ୍ଟ-ଏ କ୍ରିକେଟରେ ଇତିହାସ ରଚିଛନ୍ତି। ଏବେ ସେ ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ କମ ବଲରେ ଦ୍ୱିଶତକ ହାସଲ କରିଥିବା ବ୍ୟାଟର୍‌ ହୋଇଛନ୍ତି। ଏହି ରେକର୍ଡ ସହ ବୈଭବ ଚାଡ ବୋୱେସଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୨୪ରେ ଚାଡ ବୋୱେସ ୧୦୩ଟି ବଲରେ ଦ୍ୱିଶତକ ହାସଲ କରିଥିଲେ। ଏବେ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଚାଡ ବୋୱେସ ରହିଛନ୍ତି। ତୃତୀୟ ସ୍ଥାନରେ ଏନ. ଜଗଦୀଶନ ରହିଛନ୍ତି। ସେ ୧୧୪ଟି ବଲରେ ଦ୍ୱିଶତକ ହାସଲ କରିଥିଲେ। ସେହିପରି ଚତୁର୍ଥ ସ୍ଥାନରେ ହ୍ୟାରି ବ୍ରୁକ ରହିଛନ୍ତି। ତାଙ୍କ ନାଁରେ ମଧ୍ୟ ୧୧୪ଟି ବଲ୍ରେ ଦ୍ୱିଶତକ ହାସଲର ରେକର୍ଡ ରହିଛି।

ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ କମ୍‌ ବଲରେ ୨୦୦ ରନ

-୫୩ ବଲ ବୈଭବ ସୂର୍ଯ୍ୟବଂଶୀ, ଇଣ୍ଡିଆ-ଏ ବନାମ ୟୁଏଇ, ୨୦୨୬
-୧୦୩ ବଲ ଚାଡ ବୋୱେସ, କ୍ୟାଣ୍ଟରବରୀ ବନାମ ଓଟାଗୋ, ଖ୍ରୀଷ୍ଟଚର୍ଚ୍ଚ, ୨୦୨୪
-୧୧୪ ବଲ ଏନ. ଜଗଦୀଶନ, ତାମିଲନାଡୁ ବନାମ ଅରୁଣାଚଳ, ବେଙ୍ଗାଲୁରୁ, ୨୦୨୨
-୧୧୪ ବଲ ହ୍ୟାରି ବ୍ରୁକ, ଇଂଲଣ୍ଡ ବନାମ ଶ୍ରୀଲଙ୍କା, ରାୱଲପିଣ୍ଡି, ୨୦୨୬
-୧୧୭ ବଲ ଶୁଭମନ ଗିଲ, ଭାରତ ବନାମ ୱେଷ୍ଟଇଣ୍ଡିଜ, ୨୦୨୬

ୟୁଏଇ ବିପକ୍ଷ ମ୍ୟାଚରେ ବୈଭବ ମାତ୍ର ୨୮ଟି ବଲରେ ଶତକ ହାସଲ କରି ଲିଷ୍ଟ-ଏ କ୍ରିକେଟରେ ଦ୍ରୁତତମ ଶତକ ହାସଲକାରୀ ବ୍ୟାଟର୍‌ ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ମଧ୍ୟ ତାଙ୍କ ବ୍ୟାଟ ଅଟକି ନଥିଲା। ବରଂ ଆହୁରି ଦ୍ରୁତ ଗତିରେ ରନ ବର୍ଷା କରିଥିଲେ। ବୈଭବ ମାତ୍ର ୫୩ଟି ବଲରେ ୭ଟି ଚୌକା ଏବଂ ୨୮ଟି ଛକା ସହ ୨୦୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।
ୟୁଏଇ ବିପକ୍ଷ ମ୍ୟାଚର ସପ୍ତମ ଓଭରର ସମସ୍ତ ବଲକୁ ବାଉଣ୍ଡରୀ ବାହାରକୁ ମାରିଥିଲେ ବୈଭବ। ଏହି ଓଭରରେ ୬, ୪, ୪, ୬, ୬, ୪ ମାରି ମୋଟ ୩୦ ରନ ସଂଗ୍ରହ କରିଥିଲେ।

ଏହାପରେ ବୈଭବ ମାତ୍ର ୪୦ଟି ବଲରେ ୧୫୦ ରନର ମାଇଲଖୁଣ୍ଟ ଛୁଇଁଥିଲେ। ଏଥିସହ ଲିଷ୍ଟ-ଏ କ୍ରିକେଟରେ ଦ୍ରୁତତମ ୧୫୦ ରନ ହାସଲ କରିବାରେ ନିଜର ପୂର୍ବ ରେକର୍ଡ ଭାଙ୍ଗିଥିଲେ। ଏହାପୂର୍ବରୁ ୨୦୨୫ରେ ବିହାର ପକ୍ଷରୁ ଖେଳି ଅରୁଣାଚଳ ପ୍ରଦେଶ ବିପକ୍ଷରେ ୫୯ଟି ବଲରେ ୧୫୦ ରନ କରିଥିଲେ।

ଏହି ତାଲିକାରେ ଏବି ଡିଭିଲିୟର୍ସ ତୃତୀୟ ସ୍ଥାନରେ ରହିଛନ୍ତି। ସେ ୨୦୧୫ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ୬୪ଟି ବଲରେ ୧୫୦ ରନ କରିଥିଲେ। ସେହିପରି ଜୋସ ବଟଲର୍‌ ୨୦୨୨ରେ ଇଂଲଣ୍ଡ ପକ୍ଷରୁ ନେଦରଲ୍ୟାଣ୍ଡ ବିପକ୍ଷରେ ୬୫ଟି ବଲ୍ରେ ୧୫୦ ରନ କରି ଚତୁର୍ଥ ସ୍ଥାନରେ ରହିଛନ୍ତି।

ଏହାପରେ ବୈଭବ ମାତ୍ର ୫୨ଟି ବଲରେ ଦ୍ୱିଶତକ ପୂରଣ କରିଥିଲେ। ଏହା ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ କମ ବଲରେ ୨୦୦ ରନ ହାସଲ କରିବାର ନୂଆ ରେକର୍ଡ। ଏହି ସଫଳତା ସହ ବୈଭବ ଚାଡ ବୋୱେସଙ୍କୁ ପଛରେ ପକାଇ ଦେଇଛନ୍ତି।

Dharitri – Odisha’s No.1 Odia Daily

Share