ନୂଆଦିଲ୍ଲୀ, ୧୮।୧୧: IPL ୨୦୨୭ ରିଟେନ୍ସନ ପୂର୍ବରୁ ଏମଏସ ଧୋନୀ ନିଜର ସମସ୍ତ ପ୍ରଶଂସକଙ୍କୁ ବଡ଼ ଝଟକା ଦେଇଛନ୍ତି। ସେ ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଥିବା ବେଳେ ଏବେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ସହିତ ମେଣ୍ଟର ଭାବେ କାମ କରିବେ। ଧୋନୀ ଆଇପିଏଲ ଇତିହାସର ସବୁଠାରୁ ସଫଳ ଅଧିନାୟକ। ଚେନ୍ନାଇ ସୁପର କିଙ୍ଗ୍ସ ସହ ମିଶି ସେ ପ୍ରଶଂସକଙ୍କୁ ଅନେକ ଐତିହାସିକ ମୁହୂର୍ତ୍ତ ଭେଟି ଦେଇଛନ୍ତି। ଧୋନୀଙ୍କ ଅବସର ପରେ ପ୍ରଶଂସକମାନେ ଭାବବିହୱଳ ହୋଇପଡ଼ିଥିବା ବେଳେ ବହୁ ଦିଗ୍ଗଜ କ୍ରିକେଟର ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏବେ ୧୫ ବର୍ଷୀୟ ଷ୍ଟାର ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଧୋନୀଙ୍କୁ ଭାବବିହୱଳ ବିଦାୟ ଜଣାଇଛନ୍ତି।
ନଭେମ୍ବର ୧୭ରେ IPL ୨୦୨୭ ପାଇଁ ରିଟେନ୍ସନ ତାଲିକା ଘୋଷଣା କରାଯାଇଥିଲା। ସମସ୍ତେ ଭାବୁଥିଲେ ଯେ, ଏମଏସ ଧୋନୀ ଆଗାମୀ ସିଜିନରେ ଖେଳିବେ। ଧୋନୀ ନିଜେ ମଧ୍ୟ କହିଥିଲେ ଯେ, ସେ ଚେନ୍ନାଇରେ ଖେଳି ନିଜ କ୍ୟାରିୟରର ଅନ୍ତ କରିବେ। ଆହତ ସମସ୍ୟା ଯୋଗୁ ଧୋନୀ ଗତ ଆଇପିଏଲ ସିଜନ ଖେଳିପାରି ନଥିଲେ। ତେଣୁ IPL ୨୦୨୭ ଜରିଆରେ ସେ ନିଜ କ୍ରିକେଟ କ୍ୟାରିୟରର ଅନ୍ତ କରିବେ ବୋଲି ଆଶା କରାଯାଉଥିଲା।
ହେଲେ ରିଟେନ୍ସନ ଘୋଷଣାର ଠିକ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଧୋନୀ ଏଣିକି ଦଳର ମେଣ୍ଟର ଭାବେ ନଜର ଆସିବେ। ଏହାପରେ ଧୋନୀ ନିଜେ ସୋସିଆଲ ମିଡିଆରେ ଏକ ଭାବବିହୱଳ ଭିଡିଓ ପୋଷ୍ଟ କରି ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଯେ, ଧୋନୀ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାପରଠାରୁ ସେ କେବଳ ଆଇପିଏଲ ଖେଳୁଥିଲେ।
ଧୋନୀଙ୍କ ସନ୍ନ୍ୟାସ ପରେ ୧୫ ବର୍ଷୀୟ ଷ୍ଟାର ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଭାବବିହୱଳ ପ୍ରତିକ୍ରିୟା ଦେଇଛନ୍ତି। ବୈଭବ ପ୍ରଥମ ଥର ପଡ଼ିଆରେ ଧୋନୀଙ୍କୁ ଭେଟିବା ସମୟରେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ସେହି ସ୍ମରଣୀୟ ମୁହୂର୍ତ୍ତର ଫଟୋକୁ ବୈଭବ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ସହିତ ହାତ ଯୋଡ଼ିବାର ଇମୋଜି ଦେଇ ଧୋନୀଙ୍କୁ ବିଦାୟ ଜଣାଇଥିଲେ।
ଏମଏସ ଧୋନୀ ଆଇପିଏଲ ଇତିହାସର ସବୁଠାରୁ ସଫଳ ଅଧିନାୟକ ଭାବେ ପରିଚିତ। ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ୫ ଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ଦୁଇ ଥର ଚାମ୍ପିୟନ୍ସ ଲିଗ T20 ଟାଇଟଲ ହାସଲ କରିଛି।
ଧୋନୀ ୧୦ ଥର ଆଇପିଏଲ ଫାଇନାଲ ଖେଳିଥିବା ବେଳେ ୧୨ ଥର ନିଜ ଦଳକୁ ପ୍ଲେଅଫ୍ରେ ପହଞ୍ଚାଇଛନ୍ତି। ଅଧିନାୟକ ଭାବେ ଆଇପିଏଲରେ ତାଙ୍କ ନାମରେ ସର୍ବାଧିକ ବିଜୟ ରେକର୍ଡ ରହିଛି। ଏପରିକି ଆଜି ମଧ୍ୟ ତାଙ୍କର ବିଜୟ ପ୍ରତିଶତ ସବୁଠାରୁ ଭଲ ରହିଛି।