ଟିକା ବଣ୍ଟନ ପାଇଁ ଗଠନ ହେବ ତ୍ରିସ୍ତରୀୟ କମିଟି

ଭୁବନେଶ୍ୱର,୨।୧୧(ବ୍ୟୁରୋ): କରୋନା ମହାମାରୀକୁ ରୋକିବା ପାଇଁ ଟିକା ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ତେବେ ଟିକା ପ୍ରସ୍ତୁତ ହେବାପରେ କେଉଁମାନଙ୍କୁ ପ୍ରଥମେ ଦିଆଯିବ ତାକୁ ନେଇ ମଧ୍ୟ ବିଚାରବିମର୍ଶ ଜାରି ରହିଛି। ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଭଳି କରୋନା ଯୋଦ୍ଧାଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର କହିବା ପରେ ରାଜ୍ୟ ସରକାର ସେହି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଏହାପରେ ପୁଣି ଟିକା ପରିଚାଳନା ଓ ସମନ୍ବୟ ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜ୍ୟଗୁଡ଼ିକୁ ଚିଠି ଲେଖିଛନ୍ତି। ଟିକା ବଣ୍ଟନ ପାଇଁ ତ୍ରିସ୍ତରୀୟ କମିଟି ଗଠନ ହେବ। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଷ୍ଟେଟ୍‌ ଷ୍ଟିୟରିଂ କମିଟି, ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଓ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ଟାସ୍କ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟିୟରିଂ କମିଟି ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା କରିବା ସହ ଭିତ୍ତିଭୂମିର ତଦାରଖ କରିବ। ସେହିପରି ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଟିକା ବଣ୍ଟନର ମନିଟରିଂ କରିବ। ଟିକାକରଣବେଳେ ଯେପରି ବାଧା ସୃଷ୍ଟି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଟିକାକରଣରେ ସାମାଜିକକର୍ମୀଙ୍କୁ ସାମିଲ କରାଯିବ। କମିଟି ପାଣ୍ଠିର ବ୍ୟବସ୍ଥା ଓ ସମୀକ୍ଷା କରିବ। ଜିଲାସ୍ତରୀୟ ଟାସ୍କ ଫୋର୍ସ ଜିଲାସ୍ତରରେ ଟିକା ପ୍ରଦାନ ପରିଚାଳନା ନେଇ କାମ କରିବ। ତଦାରଖ ଓ ସମସ୍ୟାର ସମାଧାନ କରିବ। ଟିକାକରଣ ପାଇଁ ତାଲିମ ଦେବା ସହ ବ୍ଲକ୍‌ ଓ ଜିଲାସ୍ତରରେ ଅଧିକାରୀ ନିଯୁକ୍ତ କରିବ। ସମୟସୀମା ଭିତରେ ଟିକାକରଣ ପାଇଁ କମିଟି ବ୍ୟବସ୍ଥା କରିବ। ଏଥିସହ ସୋସିଆଲ ମିଡିଆ ଗୁଜବକୁ ଚିହ୍ନଟ କରି ଲୋକଙ୍କୁ ସଚେତନ କରିବ କମିଟି। ତେବେ ଟର୍ମସ ଅଫ୍‌ ରେଫରାନ୍ସରେ କେଉଁ କମିଟିର କାମ କ’ଣ ରହିବ ତାହା ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ଟିକା ପ୍ରଥମେ ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ଆଗଧାଡ଼ିର ଯୋଦ୍ଧାଙ୍କୁ ଓ ବରିଷ୍ଠ ନାଗରିକଙ୍କୁ ପ୍ରଦାନ କରାଯିବ। ଏହି ପ୍ରକ୍ରିୟା ୧ବର୍ଷ ଧରି ଚାଲିବ ବୋଲି କୁହାଯାଇଛି।