ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଅଗ୍ରାଧିକାର: ଟିକା ପହଞ୍ଚିଲେ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ଲହର। ଏହାକୁ ରୋକିବାକୁ ହେଲେ ଟିକାକରଣକୁ ତ୍ୱରାନ୍ବିତ କରିବାକୁ ହେବ। ତେବେ ଆଗାମୀ ଦିନରେ ୧୮ରୁ ୪୪ ବର୍ଷୀୟ ବର୍ଗଙ୍କୁ ଟିକା ଦିଆଯିବ। ଏନେଇ ଶନିବାର ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଆମ ରାଜ୍ୟରେ ପ୍ରାୟ ୧.୯୩ କୋଟି ଲୋକ ୧୮ରୁ ୪୪ ବର୍ଷ ବୟସର। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ଦୁଇ କମ୍ପାନୀକୁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି। କେବେ ଆମ ପାଖରେ ଟିକା ପହଞ୍ଚିବ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏହା ପହଞ୍ଚିବା ପରେ ଟିକାକରଣ ଆରମ୍ଭ କରାଯିବ। ଟିକା କିଣାକୁ ନେଇ ଔଷଧ ନିଗମକୁ ଗୁରୁବାର ୭ଶହ କୋଟି ଟଙ୍କା ଦେଇଛୁ। ସମସ୍ତେ ଟିକା ପାଇଁ ପଞ୍ଜୀକରଣ କରାଇ ନିଅନ୍ତୁ। ଟିକା ଆସିଲେ ଦିଆଯିବ। ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ୍‌ ନେବାଲାଗି ଅଗ୍ରାଧିକାର ମିଳିବ ବୋଲି ସେ କହିଛନ୍ତି।