ଆଜିଠାରୁ ସ୍ବାଭାବିକ ହେବ ଟିକାକରଣ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ଟିକା କମ୍‌ ପରିମାଣର ଥିବାରୁ ଟୀକାକରଣରେ ବ୍ୟାଘାତ ଦେଖାଦେଇଥିଲା। ଏବେ ରାଜ୍ୟକୁ ଟିକା ଆସିଥିବାରୁ ଶୁକ୍ରବାରଠାରୁ ଟୀକାକରଣ ସ୍ବାଭାବିକ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ଏବେ ୩ ପ୍ରକାର ଟୀକାକରଣ ପ୍ରକ୍ରିୟା ଜାରି ରହିଛି। ଗୁରୁବାର ବିଭିନ୍ନ ଜିଲାରେ ମାତ୍ର ୬୦ ହଜାର କୋଭିସିଲ୍ଡ ଟିକା ଥିଲା। ବୁଧବାର ରାତିରେ କେନ୍ଦ୍ରରୁ ୩ ଲକ୍ଷ ଓ ଗୁରୁବାର ସକାଳେ ୪.୮ ଲକ୍ଷ କୋଭିଶିଲ୍ଡ ଟିକା ଆସି ପହଞ୍ଚତ୍ଛି। ତେଣୁ ବର୍ତ୍ତମାନ ଆମ ପାଖରେ ୭ ଲକ୍ଷ ୮୦ ହଜାର ଟିକା ମହଜୁଦ ରହିଛି। ବିଭିନ୍ନ ଜିଲାରୁ ଭ୍ୟାକସିନ ଭ୍ୟାନ ଆସିଗଲାଣି। ଗୁରୁବାର ରାତି ସୁଦ୍ଧା ସବୁ ଜିଲାକୁ ଟିକା ପହଞ୍ଚତ୍ ଯାଇଥିବ। ତେଣୁ ଶୁକ୍ରବାରଠାରୁ ସାରା ରାଜ୍ୟରେ ଟିକାକରଣ ତ୍ୱରାନ୍ବିତ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେହିପରି ୧୨ରୁ ୧୪ ବର୍ଷର ଶିଶୁଙ୍କୁ କୋର୍ବେଭାକ୍ସ ଟିକା ଦିଆଯାଉଛି। ଏହାର ପ୍ରଥମ ଡୋଜ୍‌ ୯୯.୮ ପ୍ରତିଶତ ନେଇସାରିଥିବାବେଳେ ଦ୍ବିତୀୟ ଡୋଜ୍‌ ଟିକାକରଣ ମଧ୍ୟ ଚାଲିଛି। ଗୁରୁବାର ୧୫ଶହ ସରକାରୀ କେନ୍ଦ୍ରରେ ଟିକାକରଣ କରାଯାଇଥିଲା। ଟିକା ନ ଥିବାରୁ କମ୍‌ ଟିକାକେନ୍ଦ୍ର ଖୋଲା ଯାଇଥିଲା। ତେବେ ଶୁକ୍ରବାରଠାରୁ ୨୫୦୦ରୁ ୩୦୦୦ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱର, କଟକ, ବ୍ରହ୍ମପୁରରେ କୋଭାକ୍ସିନ ଓ ରାଜ୍ୟର ବାକିସବୁ ଅଞ୍ଚଳରେ କୋଭିଶିଲ୍ଡ ଦିଆଯାଉଛି। ପ୍ରଥମ, ଦ୍ୱିତୀୟ ସହ ବୁଷ୍ଟର ଡୋଜ୍‌ ଜାରି ରହିଥିବାରୁ ଅଧିକ ଟିକା ଆବଶ୍ୟକ ପଡୁଛି। ରାଜ୍ୟରେ କମ୍‌ ଟିକା ମହଜୁଦ ଥିବାରୁ ପର୍ଯ୍ୟାପ୍ତ ପରିମାଣର କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ଯୋଗାଇ ଦେବାକୁ କିଛିଦିନ ତଳେ କେନ୍ଦ୍ରକୁ ଚିଠି ଲେଖିଥିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।