Categories: ରାଜ୍ୟ

ଟିକାକରଣକୁ ବର୍ଷେ, ତଥାପି ଅପହଞ୍ଚ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ): ମହାମାରୀ କରୋନା ବିରୋଧରେ ଗତବର୍ଷ ଆଜିର ଦିନରେ ଆରମ୍ଭ ହୋଇଥିଲା ନିର୍ଣ୍ଣାୟକ ଲଢ଼େଇ। ବିପନ୍ନ ହୋଇପଡ଼ିଥିବା ଜୀବନ, ଜୀବିକା ପାଇଁ ନୂଆ ଆଶା ସଞ୍ଚାର କରିଥିଲା ୨ଟିକା କୋଭାକ୍ସିନ ଓ କୋଭିଶିଲ୍ଡ। ୨୦୨୧ ଜାନୁୟାରୀ ୧୬ରୁ ପର୍ଯ୍ୟାୟକ୍ରମେ ନାଗରିକଙ୍କୁ ଟିକାକରଣ କରାଯାଇଥିଲା। ପ୍ରଥମ ଦିନ ରାଜ୍ୟରେ ୧ ଲକ୍ଷ ୨ ହଜାର ୫୮ ଜଣ ଟିକା ନେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୫ କୋଟି ୪୧ ଲକ୍ଷ ୭୭ ହଜାର ୧୧୬ ଡୋଜ ଟିକା ଦିଆଯାଇଛି। ୩ କୋଟି ୧୦ ଲକ୍ଷ ୯୯ ହଜାର ୩୯୧ ଜଣ ପ୍ରଥମ ଡୋଜ୍‌ ଏବଂ ୨ କୋଟି ୨୮ ଲକ୍ଷ ୫୬ ହଜାର ୮୫୩ ଜଣ ଦ୍ୱିତୀୟ ଡୋଜ ନେଇଛନ୍ତି। ଉପାନ୍ତ ଅଞ୍ଚଳରେ ଟିକାକରଣ ଚ୍ୟାଲେଞ୍ଜ ଥିଲା। ସମସ୍ତଙ୍କ ସହଯୋଗରେ ଆଜି ଯାଏ ଟିକାକରଣ କରିପାରୁଛୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ. ବିଜୟ ପାଣିଗ୍ରାହୀ କହିଛନ୍ତି। ଏହାସତ୍ତ୍ୱେ ଅନେକ ଅଞ୍ଚଳକୁ ଟିକା ଅପହଞ୍ଚ ହୋଇଥିବାରୁ ବହୁ ଲୋକ ଏଥିରୁ ବଞ୍ଚିତ ହୋଇଛନ୍ତି। ତେବେ ରାଜ୍ୟ ସରକାର ଏହି କାର୍ଯ୍ୟକୁ ପ୍ରାଥମିକତା ଦେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିପାରୁନାହାନ୍ତି ସେମାନଙ୍କ ପାଇଁ ଘରକୁ ଯାଇ ଟିକା ଦିଆଯାଉଛି ବୋଲି ପାଣିଗ୍ରାହୀ କହିଛନ୍ତି। ଏକ ବର୍ଷ ମଧ୍ୟରେ ରାଜ୍ୟରେ ୨ କୋଟି ୬୫ ଲକ୍ଷ ୬୨ ହଜାର ୧୦୮ ପୁରୁଷ ଓ ୨ କୋଟି ୭୨ ଲକ୍ଷ ୯୫ ହଜାର ୭୪୮ ଜଣ ମହିଳା ଟିକା ନେଇସାରିଛନ୍ତି। ସେହିପରି ୭୧ଲକ୍ଷ ୧୦୬ଜଣ କୋଭାକ୍ସିନ ଡୋଜ୍‌ ନେଇଥିବା ବେଳେ ୪ କୋଟି ୬୯ ଲକ୍ଷ ୭୬ ହଜାର ୨୧୩ଜଣ କୋଭିଶିଲ୍ଡ ଟିକା ନେଇଛନ୍ତି। ଅନ୍ୟପଟେ ଗତ ୩ ତାରିଖରୁ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଇତିମଧ୍ୟରେ ରାଜ୍ୟରେ ଏହି ବର୍ଗର ୯ ଲକ୍ଷ ୬୪ ହଜାର ୬୩୯ ଜଣଙ୍କୁ ଟିକାକରଣ କରାଯାଇଛି।