ଟିକା ରାଜନୀତି ଓ ବାସ୍ତବତା

ଡ. ପ୍ରୀତିଶ କୁମାର ସାହୁ

କରୋନାର ଦ୍ୱିତୀୟ ଲହର ମୁଖ୍ୟତଃ ଭାବରେ ବିଶ୍ୱରେ ଖାଣ୍ଡବ ବନ ଦହନ ଭଳି ବିପର୍ଯ୍ୟୟ ଘଟାଉଥିବା ସମୟରେ ଏହା ସରକାର ଏବଂ ଜନମାନସ ସ୍ତରରେ ସ୍ବାସ୍ଥ୍ୟସେବା, ଚିକିତ୍ସା ଏବଂ ସର୍ବୋପରି ଭାକ୍‌ସିନ୍‌କୁ ନେଇ ତପତ୍ରତା ଓ ଗଣମାଧ୍ୟମରେ ଆଲୋଚନା ଏକ ବଡ଼ ବିଷୟ ପାଲଟିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେତେବେଳେ ବହୁ ମାତ୍ରାରେ ସାଧାରଣ ଜନତା ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସମୟରେ ରାଜନୈତିକ ଦଳଗୁଡ଼ିକ କିଛିମାତ୍ରାରେ ନିଜର ସାମାଜିକ ଦାୟିତ୍ୱ ଏବଂ ବାକ୍‌ ସ୍ବାଧୀନତାକୁ ଭୁଲି ନିଜ ନିଜ ମଧ୍ୟରେ ପ୍ରତିଯୋଗିତାର ସୁଯୋଗ ଖୋଜି ନେଇଛନ୍ତି। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରରେ ରାଜନୈତିକ ତର୍କ ବିତର୍କ କରିବା ମନା ନାହିଁ ବରଂ ଏହାର ଆବଶ୍ୟକତା ଅଛି, କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ନିଜ ନିଜର ରାଜନୈତିକ ରୋଟି ସେକିବା ସାଧାରଣ ଜନତା ପାଇଁ ଦୁଃଖଦାୟକ ଏବଂ ଅଗ୍ରହଣୀୟ।
ରୋଗ ସହ ଲଢ଼ିବା ପ୍ରସଙ୍ଗ, କରୋନା କଟକଣା, ଖାଦ୍ୟପେୟ ବ୍ୟବସ୍ଥା, ଅମ୍ଳଜାନ ଉପତ୍ାଦନ ଓ ବଣ୍ଟନ, ସ୍ବାସ୍ଥ୍ୟ ବ୍ୟବସ୍ଥା ଭଳି ଅନେକ କରୋନା ସମ୍ବନ୍ଧୀୟ ଆଲୋଚନା ଏବଂ ତର୍କ ବିତର୍କ ଗଣମାଧ୍ୟମରେ ହୋଇଛି। କିଛି ମାତ୍ରାରେ ଏହି ବିତର୍କ ମଧ୍ୟ ଅନେକ ସମସ୍ୟାକୁ ସରକାରଙ୍କ ଦୃଷ୍ଟିଗୋଚରକୁ ଆଣିଛି ସତ, କିନ୍ତୁ ଅନେକ ସମୟରେ ଦେଖାଦେଇଛି ଯେ ରାଜନୈତିକ ଆରୋପ ପ୍ରତ୍ୟାରୋପରେ ସାଧାରଣ ଜନମାନସ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଏହା କରୋନାଜନିତ ସମସ୍ୟାକୁ ଦୂର କରିବା ପରିବର୍ତ୍ତେ ବାକ୍‌ ସ୍ବାଧୀନତାର ଦୁର୍ୟୋପଯୋଗ ଦ୍ୱାରା ଭାରତର ଛବି ବିଦେଶ ମାଟିରେ ଖରାପ କରୁଛି । ବର୍ତ୍ତମାନ ପରିସ୍ଥିତିରେ ଏହି ତର୍କ ବିତର୍କରେ ସବୁଠାରୁ ଆଗରେ ଅଛି ଟିକାକରଣ ବ୍ୟବସ୍ଥା । ଟିକା ଉପତ୍ାଦନ, ଏହାର ରାଜ୍ୟମାନଙ୍କ ମଧ୍ୟରେ ବିତରଣ, ଆବଶ୍ୟକ ଅନୁଯାୟୀ ଟିକାର ଉପଲବ୍ଧି ପ୍ରଭୃତି ପ୍ରସଙ୍ଗ। ଯେତେବେଳେ ଟିକାର ଆବଶ୍ୟକତା ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ସମସ୍ତଙ୍କୁ ଦରକାର ସେହି ସମୟରେ ଏହା ସ୍ବୀକାର କରିବାକୁ ହେବ ଯେ, କିଛି ରାଜନେତା ଟିକା ବିରୋଧରେ ମଧ୍ୟ ଅପପ୍ରଚାର କରିବାକୁ ପଛାଇ ନ ଥିଲେ। ଯେଉଁ ସମୟରେ ସରକାରଙ୍କ ଉପରେ ଚାପ ପକାଇ ଅଧିକ ଟିକା ପ୍ରାବଧାନ କରିବା ପ୍ରସଙ୍ଗକୁ ଉଠାଇବାର ଥିଲା ସେହି ସମୟରେ ଏପରି କି ଏହି ଟିକାକୁ ମୋଦି ଟିକା ପାଖରୁ ଆରମ୍ଭ କରି ଏହା ଏକ ସ୍ବତନ୍ତ୍ର ସମ୍ପ୍ରଦାୟ ବିରୋଧରେ ପ୍ରସ୍ତୁତି କରିଯାଇଛି ବୋଲି ମଧ୍ୟ କିଛି ଅପପ୍ରଚାର କରିଥିଲେ। ଏପରି କି ଦେଶର ପ୍ରମୁଖ ବିରୋଧୀ ଦଳର ନେତା ମଧ୍ୟ ଏହାକୁ ଭାଜପା ଟିକା କହି ଏଡ଼ାଇ ଦେଇଥିଲେ। ଏହା ମଧ୍ୟ ସତ୍ୟ ଯେ, କରୋନାର ଦ୍ୱିତୀୟ ଲହରର ବିଶ୍ୱବ୍ୟାପୀ ପ୍ରାଦୁର୍ଭାବ ପରେ ଟିକାକରଣ ଉପରେ ଆମ ସରକାରଙ୍କ ପାଖରୁ ଆରମ୍ଭ କରି ବିପକ୍ଷରେ ବସିଥିବା ଦଳଗୁଡ଼ିକ ମଧ୍ୟ ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ସ୍ବଳ୍ପ ସମୟରେ ଟିକାର ଆବଶ୍ୟକ ଅନୁଯାୟୀ ଯୋଗାଣ ସବୁଠାରୁ ବଡ଼ ପ୍ରଶ୍ନ। ଯେପରି ରାଜ୍ୟ ଓ ରାଜନେତାମାନେ ଟିକା ଯୋଗାଣକୁ ଗୁରୁତ୍ୱ ଦେଉଛନ୍ତି ସେହିଭଳି ଭାବରେ ଟିକା ନଷ୍ଟକୁ ମଧ୍ୟ ସର୍ବନିମ୍ନ କରିବା ପାଇଁ ତପତ୍ରତାର ଆବଶ୍ୟକତା ଅଛି। ସର୍ବଭାରତୀୟ ସ୍ତରରେ ହାରାହାରି ୬.୩ ପ୍ରତିଶତ ଟିକା ନଷ୍ଟ ହେଉଥିବାବେଳେ ଝାଡଖଣ୍ଡରେ ସର୍ବାଧିକ ୨୭.୩ ପ୍ରତିଶତ, ଛତିଶଗଡ଼ରେ ୩୦.୨ ପ୍ରତିଶତ ଓ ତାମିଲନାଡ଼ୁରେ ୧୫.୫ ପ୍ରତିଶତ ଟିକା ନଷ୍ଟ ହେଉଥିବାର ରିପୋର୍ଟ ଆସିଛି।
ବର୍ତ୍ତମାନ ପରିସ୍ଥିତିରେ ଭାରତର ଟିକାକରଣ ଅଭିଯାନକୁ ଅନ୍ୟ ଉନ୍ନତ ଏବଂ ବିକଶିତ ଦେଶ ସହିତ ତୁଳନା କଲେ ଜଣାପଡ଼ିବ ଆମେ କେଉଁ ଜାଗାରେ ଅଛୁ, ଆମଠାରୁ କେଉଁମାନେ ଆଗରେ ଅଛନ୍ତି ଏବଂ ଏହା କେତେ ଶୀଘ୍ର ସମ୍ଭବ ହେବ ସମସ୍ତଙ୍କୁ ଟିକାକରଣ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରିବା। କିନ୍ତୁ ଏହା ସତ୍ୟ ଟିକାକରଣ କ୍ଷେତ୍ରରେ ବିଶ୍ୱରେ କୌଣସି ଦେଶକୁ ଚାଇନା ସହିତ ତୁଳନା କରିବାର ଯଥାର୍ଥତା ନାହିଁ। କାରଣ, ବିଭିନ୍ନ ଆନୁଷଙ୍ଗିକ ଘଟଣାକ୍ରମର ଅଧ୍ୟୟନ ଏବଂ ଗବେଷଣାରୁ ଏହା ଏକ ପ୍ରକାର ସ୍ପଷ୍ଟ ଯେ, ଏହି ମାରାତ୍ମକ ଭୂତାଣୁ ଚାଇନାର ‘ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି’ରେ ପ୍ରସ୍ତୁତି କରାଯାଇଥିଲା । ତେଣୁ ଭୂତାଣୁ ପ୍ରତିରୋଧୀ ଟିକା ଏବଂ ଔଷଧ ଚାଇନା ପାଖରେ ପୂର୍ବରୁ ଥିବାର ସନ୍ଦେହକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଏପରି କି ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ବିଶେଷଜ୍ଞମାନଙ୍କୁ ଚାଇନା ଅନୁମତି ନ ଦେବା ଆହୁରି ଏହି ସନ୍ଦେହକୁ ଅଧିକ ଘନୀଭୂତ କରିଛି।
ବ୍ଲୁମ୍‌ବର୍ଗ ଡାଟା ଅନୁଯାୟୀ ବିଶ୍ୱର ୧୭୯ଟି ଦେଶରେ ଜୁନ୍‌ ୨୬ ତାରିଖ ସୁଦ୍ଧା ୨୮୧ କୋଟି ଡୋଜ୍‌ ଭାକ୍‌ସିନ୍‌ ଦିଆଯାଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ୧୮ ବର୍ଷରୁ ଅଧିକ ଟିକାକରଣ ପ୍ରକ୍ରିୟାରେ ପ୍ରାୟ ୯୪ କୋଟି ଲୋକ ଭାରତରେ ଯୋଗ୍ୟ- ଅର୍ଥାତ୍‌ ୧୮୮ କୋଟି ଟିକାର ଆବଶ୍ୟକତା ଅଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଭାରତ ବର୍ଷରେ ପ୍ରାୟ ୩୧ କୋଟି ଡୋଜ୍‌ ଭାକ୍‌ସିନ୍‌ ଦିଆଯାଇଛି; ଯାହା କି ପ୍ରାୟତଃ ଆମେରିକାର ଭାକ୍‌ସିନ୍‌ ଡୋଜ୍‌ ତୁଳନାରେ ସାମାନ୍ୟ କମ୍‌। କହିବାକୁ ଗଲେ ଆଜି ସୁଦ୍ଧା ସମଗ୍ର ବିଶ୍ୱରେ ଆମେରିକା ପ୍ରଥମ ଓ ଭାରତ ଦ୍ୱିତୀୟ ସର୍ବ ବୃହତ୍‌ ଟିକାକରଣ କରିପାରିଛି । ଯଦି ସରକାରଙ୍କ ଲକ୍ଷ୍ୟ ମୁତାବକ ଡିସେମ୍ବର ୨୦୨୧ ସୁଦ୍ଧା ସବୁ ଭାରତୀୟ ଟିକା ପାଇବେ ତା’ହେଲେ ପ୍ରତ୍ୟେକ ଦିନ ପ୍ରାୟ ୮୫ ଲକ୍ଷରୁ ଅଧିକ ଟିକାକରଣର ଆବଶ୍ୟକତା ଅଛି। ଏହା ଏକ ଦୃଢ଼ ଇଚ୍ଛାଶକ୍ତି ଓ ପ୍ରୟାସ ଦ୍ୱାରା ହିଁ କେବଳ ସମ୍ଭବ ହୋଇପାରିବ କାରଣ ଗୋଟିଏ ଦିନରେ (ଜୁନ୍‌ ୨୧ ତାରିଖ) ଭାରତରେ ୮୮ ଲକ୍ଷ ଡୋଜ୍‌ ଭାକ୍‌ସିନ୍‌ ଦିଆଯାଇଥିବା ବିଶ୍ୱ ରେକର୍ଡ ଏହାର ପ୍ରମାଣ। ଯେତେବେଳେ ସମଗ୍ର ବିଶ୍ୱରେ ପ୍ରତ୍ୟେକ ଦିନ ହାରାହାରି ୪ କୋଟି ୧୨ ଲକ୍ଷ ଲୋକ ଭାକ୍‌ସିନେସନ୍‌ ହେଉଛନ୍ତି ସେତେବେଳେ ଭାରତରେ ଗୋଟିଏ ଦିନରେ ୮୮ ଲକ୍ଷ ଲୋକ ଟିକା ନେବା ଏକ ଛୋଟିଆ କଥା ନୁହେଁ।
ଆମେରିକା ଭଳି ଉନ୍ନତ ରାଷ୍ଟ୍ରରେ ଜୁନ୍‌ ତୃତୀୟ ସପ୍ତାହ ଡାଟା ଅନୁଯାୟୀ ପ୍ରତ୍ୟେକ ଦିନ ପ୍ରାୟ ୮ ଲକ୍ଷ ୧୭ ହଜାର ଭାକ୍‌ସିନ୍‌ ଡୋଜ୍‌ ଦିଆଯାଉଥିବାବେଳେ ଭାରତରେ ପ୍ରତ୍ୟେକ ଦିନ ହାରାହାରି ୮୫ ଲକ୍ଷ ଡୋଜ୍‌ ଦେବାର ଲକ୍ଷ୍ୟ ରହିଛି। ଭାରତବର୍ଷରେ ଏପର୍ଯ୍ୟନ୍ତ ପ୍ରାୟତଃ ୫.୫ କୋଟି ଲୋକ ସମ୍ପୂର୍ଣ୍ଣ ଭାକ୍‌ସିନ୍‌ ହୋଇସାରିଛନ୍ତି। ଯଦି ତୁଳନା କରାଯାଏ, ଭାରତରେ ଟିକାକରଣ କରାଯାଇଥିବା ଲୋକସଂଖ୍ୟା ବିଶ୍ୱର ୮୮ ପ୍ରତିଶତ ଦେଶରେ ଜନସଂଖ୍ୟାଠାରୁ ମଧ୍ୟ ଅଧିକ। ବୃହତ୍‌ ଓ ଉନ୍ନତ ଜି-୭ ଦେଶ ସମୂହ (ଆମେରିକା, କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ ଏବଂ ଇଂଲଣ୍ଡ) ଯାହା ପାଖରେ ବିଶ୍ୱର ପ୍ରାୟ ୩୯ ପ୍ରତିଶତରୁ ଅଧିକ ଜିଡିପି ଅଛି ଓ ଉନ୍ନତ ବୈଷୟିକ ଜ୍ଞାନ ଅଛି ସେମାନଙ୍କ ସହିତ ତୁଳନା କଲେ ଭାରତର ଭାକ୍‌ସିନେସନ୍‌ ସଂଖ୍ୟା କିଛି କମ୍‌ ନୁହେଁ, ଯଦିବା ପ୍ରତିଶତ ହିସାବରେ ଆମେ କମ୍‌ ଅଛୁ। କେବଳ ଆମେରିକାକୁ ବାଦ୍‌ ଦେଲେ ଅନ୍ୟ ୬ଟି ଦେଶରେ ଆଜି ପର୍ଯ୍ୟନ୍ତ ଯେତିକି ଟିକାକରଣ ହୋଇଛି (ପ୍ରାୟ ୩୨ କୋଟି) ଭାରତରେ ମଧ୍ୟ ପାଖାପାଖି ସେତିକି (୩୧ କୋଟିରୁ ଊର୍ଦ୍ଧ୍ୱ) ଟିକାକରଣ ହୋଇଛି। ଯଦିବା ଆଜିକା ଦିନରେ ଟିକାକୁ ନେଇ ତପତ୍ରତା ବଢ଼ିଚାଲିଛି କିନ୍ତୁ ଏତେ ବଡ଼ ଦେଶରେ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟା, ରାଜ୍ୟ ସରକାରଙ୍କ ସହଯୋଗ, ବିରୋଧୀଦଳଙ୍କ ସକାରାତ୍ମକ ସହାୟତା ଓ ଟିକା ନଷ୍ଟକୁ ରୋକାଯାଇପାରିଲେ ନିଶ୍ଚିତ ଭାବରେ ନିର୍ଦ୍ଧାରିତ ୨୦୨୧ ଡିସେମ୍ବର ସୁଦ୍ଧା ଟିକାକରଣ ସମ୍ପୂର୍ଣ୍ଣ ହେବ ବୋଲି ଆଶା ଓ ଭରସା ଅଛି।
ପ୍ରାଧ୍ୟାପକ, ବିର୍ଲା ଗ୍ଲୋବାଲ ୟୁନିଭରସିଟି, ଭୁବନେଶ୍ୱର, ମୋ:୭୩୮୧୭୩୩୧୮୭


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri